ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଅନୁପମ ଖେର

ପୁରୀ : ପୁରୀ ଶ୍ରୀକ୍ଷେତ୍ର ଆସି ମହାବାହୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ଅନୁପମ ଖେର । ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ଅନୁପମ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଇଥିଲେ । ଅନୁପମ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିରରେ ଥିବା ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲା । ବାଇଶି ପାହାଚ ଦେଇ ଫେରିବା ପରେ ସେ ଗଣମାଧ୍ୟମକୁ ନିଜର ଭାବନା ବ୍ୟକ୍ତ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇ ଯାଇଥିବା କହିଥିଲେ । ଜଗନ୍ନାଥ ମନ୍ଦିରକୁ ସେ ପ୍ରଥମ ଥର ପାଇଁ ଆସିଥିବା ବେଳେ ଏଠାରେ ଥିବା ଆଧ୍ୟାତ୍ମିକ ମାହୋଲ୍‌ ଭାରତରେ ଅନ୍ୟ କୌଣସି ମନ୍ଦିରରେ ସେ ଅନୁଭବ କରିନାହାନ୍ତି ବୋଲି କହିଥିଲେ । ବିଶେଷକରି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ୧୨୨ ପ୍ରକାର ନିତୀ, ମନୁଷ୍ୟ ଭଳି ନିତୀ ପରମ୍ପରା ବିଷୟ ରେ ଜାଣି ବେଶ୍‌ ଖୁସି ଥିବା କହିଥିଲେ । ଚଳିତ ବର୍ଷରୁ ସେ ଭାରତର ବିଭିନ୍ନ ମନ୍ଦିର, ତୀର୍ଥ ସ୍ଥଳୀ ବୁଲିବାକୁ ଯାତ୍ରା ଆରମ୍ଭ କରିଥିବା ଅନୁପମ କହିଛନ୍ତି । ସେ ବିଭିନ୍ନ ମନ୍ଦିର, ତୀର୍ଥ ସ୍ଥଳୀ ଯାଇ ବିଭିନ୍ନ ଜ୍ଞାନ, ଶିକ୍ଷା ଲାଭ କରିବା ନେଇ ତାଙ୍କର ଲକ୍ଷ୍ୟ ରହିଛ଼ି । ତେବେ ଶ୍ରୀମନ୍ଦିରର ଉନ୍ନତି, ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅନୁପମ ଖେର୍‌ ଉଚ୍ଚ ପ୍ରଶଂସା କରିଥିଲେ । ସମଗ୍ର ବିଶ୍ୱ ଏବଂ ଭାରତର ଉନ୍ନତି, ବିକାଶ, ଶାନ୍ତି ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି । ସିଂହଦ୍ୱାର ଆଗରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଉଚ୍ଚାରଣ କରି ଅନୁପମ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ସେପଟେ ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ଝଲକ ପାଇ ଉପସ୍ଥିତ ଭକ୍ତ ମାନେ ବେଶ୍‌ ଖୁସି ଅନୁଭବ କରିଥିଲେ ।

Comments (0)
Add Comment