ଅବ୍ୟବସ୍ଥାରେ କାଦପଡା ପ୍ରାଥମିକ ବିଦ୍ୟାଳୟ;
୫ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ, ଜୋର ଧରିଲା ଶିକ୍ଷକ ନିଯୁକ୍ତି ଦାବି

ଆଠମଲ୍ଲିକ : ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବାବେଳେ ଜିଲ୍ଲା ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଦେଶ ତଥା ରାଜ୍ୟର ଭବିଷ୍ୟତ ନାଗରିକ ଶିଶୁ ନିଜର ମୌଳିକ ଅଧିକାର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଶିକ୍ଷାଅଧିକାରୀଙ୍କ ଅଧିନସ୍ଥ କାଦପଡା ପ୍ରାଥମିକ ବିଦ୍ୟାଳୟରେ । ଅନ୍ୟପଟେ ପ୍ରଶାସନର ଅପାରଗତା କାରଣରୁ ତେଲିଆ ମୁଣ୍ଡରେ ତେଲ ନୀତିରେ ଜିଲ୍ଲାର କିଛି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଦରକାରଠାରୁ ଅଧିକ ଶିକ୍ଷକ ଥିବା ବେଳେ କିଛି ବିଦ୍ୟାଳୟରେ ଶିକ୍ଷକ ମରୁଡି ଦେଖାଯାଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତ ଦେଇଛନ୍ତି । ନିକଟରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ହାଇସ୍କୁଲକୁ ୫-ଟି ରେ ରୂପାନ୍ତରୀତ କରିବା ସହିତ ନିକଟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ମଧ୍ୟ ଜାରୀ ରଖିଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଏହା ଫେଲ୍‌ ମାରୁଛି ବୋଲି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଶିକ୍ଷାଅଧିକାରୀଙ୍କ ଅଧିନସ୍ଥ କାଦପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରମାଣିତ ହୋଇଛି । ଏଠାରେ ମାତ୍ର ଜଣେ ଶିକ୍ଷୟତ୍ରୀଙ୍କ ଭରସାରେ ଚାଲିଛି ୫ଟି ଶ୍ରେଣୀର ପାଠପଢା । ଶିକ୍ଷୟତ୍ରୀ ଜଣକ ପୁଣି ପ୍ରାଧନଶିକ୍ଷକଙ୍କ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଏପରି ସ୍ଥିତିରେ ସେ କେମିତି ପିଲାଙ୍କୁ ପାଠ ପଢାଉଥିବେ ତାହା ସହଜରେ ଅନୁମେୟ । ମିଳିଥିବା ସୂଚନା ଅନୁସାରେ ବିଦ୍ୟାଳୟରେ ପ୍ରାୟ ୭୦ରୁ ୭୫ ପିଲା ଅଧ୍ୟାୟନ କରୁଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି । ବିଦ୍ୟାଳୟ ଉପରେ କାଦପଡା ସମେତ ମୁଣ୍ଡାପଡା ଓ ମଙ୍ଗଳପୁର ଗ୍ରାମର ଛାତ୍ରଛାତ୍ରୀ ନିର୍ଭରଶୀଳ । ସ୍କୁଲରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଠିକ୍‌ ଭାବରେ ପାଠପଢା ହେଉନଥିବା ଛାତ୍ରଛାତ୍ରୀ କ୍ଷୋଭର ସହ ଅଭିଯୋଗ କରିଛନ୍ତି । ଏ ନେଇ ଅଭିଭାବକମାନେ ସିଆର୍‌ସିସିଙ୍କୁ ଜଣାଇଥିଲେ ମଧ୍ୟ ସେ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ହେଉଛି । ଏଠାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଅନୁପାତ ୩୦:୧ ନିୟମକୁ ଯେମିତି ଫୁ କରିଦିଆଯାଇଥିବା ଦେଖିବାକୁ ମିଳିଛି । ଆଗାମୀ ତିନିଦିନ ମଧ୍ୟରେ ସ୍କୁଲରେ ଶିକ୍ଷକ ସମସ୍ୟାର ସମାଧାନ ନହେଲେ,ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇବା ସହ ଆନ୍ଦୋଳନକୁ ବ୍ୟାପକ କରିବା ନେଇ ଚେତାବନୀ ଦେଇଛନ୍ତି । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବି ଦାବୀ କରିଛନ୍ତି ।

Comments (0)
Add Comment