ଖରିଫ ଧାନ ସଂଗ୍ରହ ପ୍ରଚାର ରଥର ଶୁଭାରମ୍ଭ

ଚମ୍ପୁଆ,୧୫ ।୧୨: ଖରିଫ ଧାନ ସଂଗ୍ରହ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଜି ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ଉପଜିଲାପାଳ ତଥା ଆରଏମସି ଅଧ୍ୟକ୍ଷ ସୁକାନ୍ତ କୁମାର ମାଝି ଓ ଏସିଏସଓ ମଙ୍ଗଲ ସିଂ ପ୍ରମୁଖ ଏହି କାର୍ଯ୍ୟରେ ଯୋଗ ଦେଇ ପତାକା ହଲାଇ ପ୍ରଚାର ରଥର ଶୁଭାରମ୍ଭ କରିଥିଲେ । ଚଳିତ ଖରିଫ ଋତୁ ୨୦୨୩-୨୪ ପାଇଁ ବୃହତକାର ଆଦିବାସି ବହୁମୁଖି ସମବାୟ ସମିତି ସଂସ୍ଥା ମାନଙ୍କ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାଯାଇଛି । ଚାଷୀଙ୍କ ଠାରୁ ସାଧାରଣ ଧାନ ୨୧୮୩ ଟଙ୍କା କୁଇଁଟାଲ ପ୍ରତି ଓ କ ଶ୍ରେଣୀୟ ଧାନ ୨୨୦୩ ଟଙ୍କା କୁଇଁଟାଲ ପ୍ରତି କିଣାଯିବ । ଚମ୍ପୁଆ ଲ୍ୟାମ୍ପ ଅଧିନରେ ରଜିଆ, ରିମୁଳି, ଜାମୁଦଲକ, କରଂଜିଆ, କଣ୍ଡରା ଆଦି ସ୍ଥାନରେ ଧାନ କ୍ରୟ କେନ୍ଦ୍ର, ଭଣ୍ଡା ଲ୍ୟାମ୍ପସ୍‌ ଅଧିନରେ ଭଣ୍ଡା, ଜ୍ୟୋତିପୁର, ଭୁଇଁପୁର, ଫୁଲକଅଁଳେଇ ସହିତ ଝୁମ୍ପୁରା ଲ୍ୟାମ୍ପସ ଅଧିନରେ ଝୁମ୍ପୁରା, ବାଲିବନ୍ଧ ଓ ଉଖୁଣ୍ଡା ଲ୍ୟାମ୍ପସ ଅଧିନରେ ଉଖୁଣ୍ଡା, ଚଉଠିଆ ଧାନ ମଣ୍ଡି ଠାରେ ଏହି ଧାନ ନିର୍ଦ୍ଧାରିତ ବାରରେ କ୍ରୟ କରାଯିବ । ଏହି ପ୍ରଚାର ରଥ ମାଧ୍ୟମରେ ଚାଷିଙ୍କୁ ଉପରୋକ୍ତ ଧାନ ମଣ୍ଡିରେ ଧାର୍ଯ୍ୟ ଦିନ ଓ କ୍ରୟ ବ୍ୟବସ୍ଥା ବିଷୟରେ ଅବଗତ କରାଯିବ ବୋଲି ଜଣାଯାଇଛି ।

Comments (0)
Add Comment