ବାଲିଗୁଡ଼ାରେ ଚାଲିଛି ଅଧିଷ୍ଠାତ୍ରୀ ଦେବୀ ମା’ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ପାଟ୍ଟଖଣ୍ଡାଙ୍କ ଚାଲିଛି ଐତିହାସିକ ଠାକୁରାଣୀ ଯାତ୍ରା । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଏହି ଯାତ୍ରା ଆୟୋଜିତ ହୋଇଥିବାବେଳେ ମା’ଙ୍କ ଯାତ୍ରାକୁ ନେଇ ଅଞ୍ଚଳବାସୀ ମଧ୍ୟ ବେସ୍‌ ଉତ୍ସାହିତ । କମିଟିର ସଭାପତି ଲୋକନାଥ ପାଢ଼ୀ, ସମ୍ପାଦକ ତଥା ଯୁବ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ଏବଂ କମିଟିର ସମସ୍ତ ସଦସ୍ୟ ମା’ଙ୍କ ଯାତ୍ରା ସୁରୁଖୁରୁରେ ସମାପନ କରିବା ସହ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ବାଲିଗୁଡ଼ା ସହରର ପୂର୍ତ୍ତବିଭାଗ କାର୍ଯ୍ୟାଳୟ ନିକଟରେ ବିରାଜମାନ ମା’ବରାଳୀଦେବୀଙ୍କ ମନ୍ଦିର ନିକଟରେ ମା’ଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଛି । ମା’ପାଟ୍ଟଖଣ୍ଡାଙ୍କ ସମେତ ପାର୍ଶ୍ୱ ଦେବୀ ମା’ବରାଳୀ ଦେବୀ, ମା’ମହାମାୟୀ,ମା’ଡେଙ୍ଗିଶିଳି,ମା’ଦୁର୍ଗାଙ୍କ ସମେତ ମା’କାଳୀ ମଧ୍ୟ ପୂଜା ପାଉଛନ୍ତି ଅସ୍ଥାୟୀ ମଣ୍ଡପରେ । ପ୍ରତିଦିନ ମା’ଙ୍କ ଅସ୍ଥାୟୀ ପିଠରେ ଶତାଧିକ ଭକ୍ତଙ୍କ ସମାଗମ ଘଟୁଥିବା ବେଳେ ସନ୍ଧ୍ୟା ସମୟରେ ବିଭିନ୍ନ ସାହିକୁ ମା’ଙ୍କୁ ପାଛୋଟି ନେବାକୁ ସାହି ବାସିନ୍ଦାଙ୍କ ଭିଡ଼ ପରିଲକ୍ଷିତ ହେଉଛି ଅସ୍ଥାୟୀ ମଣ୍ଡପରେ । ଭଳିକି ଭଳି ପଟୁଆର କରି ସାହି ବାସିନ୍ଦା ମା’ଙ୍କୁ ନିଜ ସାହିକୁ ପାଛୋଟି ନେବାକୁ ସାହି ବାସିନ୍ଦାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଛି । ମା’ଙ୍କ ନଗର ପରିକ୍ରମାକୁ ନେଇ ଭକ୍ତ, ଶ୍ରଦ୍ଧାଳୁ ଯେତିକି ଆତୁର, ଅଞ୍ଚଳବାସୀଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବାପାଇଁ ଅଞ୍ଚଳବାସୀ ମଧ୍ୟ ବେସ୍‌ ତତ୍ପର । ବର୍ତ୍ତମାନ ସୁଦ୍ଧା ମା’ଙ୍କ ଅପାର କୃପାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ମା’ଙ୍କ ପୂଜାର୍ଚ୍ଚନା,ନଗର ପରିକ୍ରମା ସହ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କମିଟିର ସମସ୍ତ ସଦସ୍ୟଙ୍କ ସମେତ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ମିଳୁଛି । ଗତ ଏପ୍ରିଲ୍‌ ୨୩ ତାରିଖରୁ ମା’ଙ୍କ ଯାତ୍ରା ଆରମ୍ଭ ହୋଇଛି । ଚଳିତ ମାସ ଅର୍ଥାତ୍‌ ମଇ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମା’ଙ୍କ ଯାତ୍ରା । ଏଣୁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରୁଛୁ ବୋଲି କହିଛନ୍ତି ସମ୍ପାଦକ ଭଗବତୀ ପ୍ରସାଦ ସାବତ ।

Comments (0)
Add Comment