ବାଇକ ଡ଼ିକିରୁ ଟଙ୍କା ଲୁଟ ଘଟଣାରେ ଦୁଇ ଗିରଫ

ସୋନପୁର: ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ଆଜି ସୋନପୁର ପୋଲିସ ଗଞ୍ଜାମ ଜ଼ିଲ୍ଲା ଆସ୍କା ଥାନା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ ଥାଉ ଯେ ଗତ ୬ତାରିଖରେ ସୋନପୁର ବରୋଦା ବ୍ୟାଙ୍କରୁ ଖଲିଆପାଲି ଗାଁର ରୋହିତ କୁମାର ସାହୁ ଦୁଇ ଲକ୍ଷ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ବିନିକା ରୋଡ଼ ସ୍ଥିତ ହୋଟେଲ ଗ୍ରୀନପାର୍କ ଆଗରେ ଅଟକି ଅନ୍ୟମନସ୍କ ହୋଇ ପାଣି ବୋଟଲ କିଣିବା ସମୟରେ ବ୍ୟାଙ୍କରୁ ପିଛା କରୁଥିବା ଦୁଇ ଜଣ ଲୁଟେରା ଏକ ହୁଣ୍ଡା ୟୁନିକନ ବାଇକରେ ଆସି ଆଖି ପିଛୁଳାକେ ଡ଼ିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଥିଲେ । ରୋହିତ ଏ ନେଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ସୋନପୁର ପୋଲିସ ଘଟଣା ସ୍ଥଳର ସିସିଟିଭି ଆଧାରରେ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍‌ ଆଧାରରେ ଏ ଘଟଣାର ଅନୁସନ୍ଧାନ ଜାରି ରଖିଥିଲା । ଲୁଟେରା ଆକାଶ ଦାସ ଓ ରଂଜିତ ରାଓଙ୍କୁ ଆସ୍କାରୁ ଗିରଫ କରି ତାଙ୍କ ହୁଣ୍ଡା ବାଇକ ଓଡି ୦୨ଏଏସ୍‌-୬୯୨୧ ଓ ଦେଢ଼ ଲକ୍ଷ ଟଙ୍କା ଉଦ୍ଧାର କରିଥିବା ବିଷୟ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଥିବା ଜଣାଯାଇଛି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୋନପୁର ପୋଲିସର ସିରିଜ ସଫଳତାକୁ ଜ଼ିଲ୍ଲାବାସୀ ପ୍ରଶଂସା କରିଥିବା ବେଳେ ଏ କଳଙ୍କିତ ବରୋଦା ବ୍ୟାଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଙ୍କମାନଙ୍କ ଆଗରେ ଗ୍ରାହକଙ୍କୁ ସଚେତନତା କରିବା ପାଇଁ ବ୍ୟାଙ୍କ ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଲୋକେ ଦାବି କରୁଛନ୍ତି । ଆଜିର ଏହି ପ୍ରେସମିଟରେ ଏସପି ଶ୍ରୀ ପଣ୍ଡାଙ୍କ ସମେତ ଏସ୍‌ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଓ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment