ଝିଅର ମୃତଦେହ ଫେରାଇ ଆଣିବାକୁ ଭିକ୍ଷା ମାଗିଲେ ପରିବାର ଲୋକେ

ପୁରୀ: ପିପିଲିରେ ଅଭାବନୀୟ ଘଟଣା । ସରକାର ଓ ପ୍ରଶାସନ ଭୁଲିଗଲେ ମାନବିକତା । ଅସହାୟ ବାପାକୁ ସାହାଯ୍ୟ ହାତ ବଢାଇଲା ନାହିଁ ସରକାର କି ପ୍ରଶାସନ । ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ବେଙ୍ଗାଲୁରୁରେ ନିଜ ନାବାଳିକା ଝିଅର ମୃତଦେହ ଫେରାଇ ଆଣିବାକୁ ବଜାରରେ ଭିକ୍ଷା ମାଗିଲେ ପରିବାର ଲୋକେ । ମୃତଦେହ ଫେରାଇ ଆଣିବା ଲାଗି ନିଜର ଅକ୍ଷମତା ପ୍ରକାଶ କରିଥିବା ପରିବାର ପୁରୀ ପ୍ରଶାସନ ମୃତଦେହ ଫେରାଇ ଆଣିବା ପାଇଁ ଗୁହାରୀ କରି ନିରାଶ ହେବା ପରେ ପିପିଲି ନିମାପଡା ଛକ ବଜାରରେ ଦୋକାନ ଦୋକାନ ବୁଲି ଭିକ୍ଷା ମାଗିଛନ୍ତି । ଯାହାକି ବେଶ୍‌ ଚର୍ଚ୍ଚର ବିଷୟ ହୋଇଚି ।
ପୁରୀ କଣାସ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ ଯୁବକ କର୍ଣ୍ଣାଟକର ବେଙ୍ଗଲୁରୁକୁ ନେଇ ପଳାଇଥିଲା । ଗତ ୬ ତାରିଖରେ ଉକ୍ତ ଯୁବତୀଙ୍କର ମୃତ୍ୟୁ ଘଟିଛି । ତେବେ ବେଙ୍ଗଲୁରୁରୁ ପୋଲିସ୍‌ ଝିଅର ମୃତ ଦେହ ନେବାକୁ ଖବର ଦେଇ ଥିବା ବେଳେ ଝିଅର ବାପା ଗଜେନ୍ଦ୍ର ହରିଚନ୍ଦନ ଏବେ ଚିନ୍ତାରେ । ସେ ଅତି ଗରୀବ ହୋଇଥିବାରୁ ସେ କେମିତି ଟଂକା ଯୋଗାଡ କରି ଝିଅର ଶବ ଆଣିବେ ସେ ନେଇ ଚିନ୍ତିତ । ସ୍ଥାନୀୟ ପୋଲିସ ପ୍ରଶାସନକୁ ଏହା ଜଣାଇବା ପରେ ଝିଅ ମୃତଦେହ ଆଣିବାକୁ କେହି ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି । ଏଣୁ ସେ ବାଧ୍ୟ ହୋଇ ପିପିଲିରେ ଭିକ ମାଗି ଟଙ୍କା ଯୋଗାଡ କରି ଝିଅର ମୃତଦେହ ଆଣିବାକୁ ଚେଷ୍ଟା କରୁଥିବା ମୃତକଙ୍କ ବାପା କହିଛନ୍ତି । ତେବେ ସରକାର ଓ ପ୍ରଶାସନ ନିଷ୍ଠୁରତାକୁ କଡ଼ା ସମାଲୋଚନା କରିଛି ଜାତୀୟ ଦଳିତ ଆଦିବାସୀ ମାଇନୋରୋଟି ମହାସଂଘ । ସଂଘ କର୍ମକର୍ତ୍ତା ମୃତକଙ୍କ ବାପାଙ୍କ ସହ ମିଶି ପିପିଲିରେ ଦୋକାନରୁ ଦୋକାନ ବୁଲି ଲୋକଙ୍କ ଠାରୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି ।
ଝିଅର ମୃତଦେହ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କ ପିତାମାତା ପ୍ରଶାସନ ନିକଟରେ ଗୁହାରୀ କରିଥିବା ବେଳେ ଝିଅର ମୃତଦେହ ସେଠାରେ ୯ ଦିନ କାଳ ପଡିରହିଛି । କଣାସ ଥାନା ବେଣାଗାଁର ଜନୈକା ୧୭ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ୨୦୨୧ ମସିହା ଏପ୍ରିଲ ୨୪ତାରିଖରେ କେଉଁ ଆଡେ ନେଇ ଯାଇଥିବା ସମ୍ପର୍କରେ ଝିଅର ବାପା ସେହି ମାସ ୩୦ ତାରିଖରେ କଣାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅପହରଣକାରୀ ଝିଅକୁ ମାରି ଦେବାର ଆଶଙ୍କା କରି ଝିଅକୁ ଉଦ୍ଧାର ପାଇଁ ବାପା ପୁଲିସର ନେହୁରା ହୋଇଥିଲେ । ମାତ୍ର ପୁଲିସ ଏଭଳି ଅଭିଯୋଗକୁ ଗୁରୁତ୍ୱ ନଦେବା ଝିଅର ବାପା ଅଭିଯୋଗ କରିଛନ୍ତି । ଅପହରଣକାରୀ ଯୁବକ ଉକ୍ତ ନାବାଳିକାକୁ ପରବର୍ତ୍ତୀ ସମୟରେ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲେ ।
ସେଠାରେ ଝିଅକୁ ବିଭିନ୍ନ ସମୟରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ଝିଅ ନିଜ ବାପା, ମାଆଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲା । ଗତ ୬ ତାରିଖ ରାତି ୨ଟାରେ ଝିଅର ବାପାଙ୍କ ପାଖକୁ ଫୋନ ଆସିଥିଲା ତମ ଝିଅ ମରିଯାଇଛି , ଏଠାକୁ ଆସି ଶବ ନେଇଯାଅ । ମଙ୍ଗଳବାର ଝିଅର ବାପା ଏସଂକ୍ରାନ୍ତରେ କଣାସ ଥାନାରେ ଜଣାଇଥିଲେ । ସେହିଦିନ ପୁନର୍ବାର କର୍ଣ୍ଣାଟକର ବେଙ୍ଗାଲୁରୁ ଅନ୍ତର୍ଗତ ବେଲାନ୍ଦୁର ଥାନାରୁ ଝିଅର ବାପାଙ୍କ ପାଖକୁ ଫୋନ ଆସିଥିଲା ଓ ଏଠାକୁ ଆସି ମୃତଦେହକୁ ନେଇଯିବା ପାଇଁ କୁହାଯାଇଥିଲା । ମୃତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଏତେ ଦୂରରୁ ମୃତଦେହ ଆଣିବାରେ ଅକ୍ଷମତା ପ୍ରକାଶ କରିଥିଲେ । ସେପଟେ ମୃତଦେହ ଓଡିଶା ଆଣିବା ଦିଗରେ ପୁଲିସ ପ୍ରଶାସନ ସହଯୋଗ କରୁ ବୋଲି ମୃତକଙ୍କ ପିତାମାତା ସରକାରଙ୍କ ପାଖରେ ଅନୁରୋଧ କରି ବିଫଳ ହେବା ପରେ ଶେଷରେ ଭିକ୍ଷା ମାଗିଛନ୍ତି ।

Comments (0)
Add Comment