ରନ୍ଧନ ଗ୍ୟାସ ଗୋଦାମରୁ ଚୋରି ମାମଲାରେ ୯ ଗିରଫ, ୫୪ଟି ଗ୍ୟାସ ସିଲିଣ୍ଡର ଜବତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର କେସେଇବାହାଲ ସ୍ଥିତ ଇଣ୍ଡେନ କମ୍ପାନୀର ଏକ ରନ୍ଧନ ଗ୍ୟାସ ଗୋଦାମରୁ ଚୋରିର ତଦନ୍ତରେ ସ୍ଥାନୀୟ ମହୁଲପାଲି ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୫୪ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏବିଷୟରେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମାସ ୧୮ ତାରିଖ ରାତିରେ ଏହି ଚୋରି ହୋଇଥିଲା ଓ ଏସମ୍ବନ୍ଧରେ ୧୯ ତାରିଖ ଦିନ ଥାନାରେ ଅଭିଯୋଗ ରୁଜୁ କରାଯାଇଥିଲା । ଏହି ମାମଲାକୁ ଗୁରୁତ୍ୱ ସହିତ ଗ୍ରହଣ କରି ଜିଲ୍ଲା ପୁଲିସ ଅଧିକ୍ଷକ ବି ଗଙ୍ଗାଧର ଦୁଇଟି ଟିମ ଗଠିତ କରି ସେମାନଙ୍କୁ ଏହାର ତଦନ୍ତ ଭାର ନ୍ୟସ୍ତ କରିଥିଲେ । ସେମାନେ ଉକ୍ତ ଗ୍ୟାସ ଗୋଦାମରେ ଲଗାଯାଇଥିବା ସିସିଟିଭିରେ ରେକର୍ଡ ଭିଡିଓ ଅଧ୍ୟୟନ ଓ ଗୁଇନ୍ଦା ଖବର ସବୁକୁ ଆଧାରକରି ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଏଥିରେ ସାମିଲ ୯ ଜଣଙ୍କୁ ଗିରଫ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଗ୍ୟାସ ଡିଲର ଓ ଜଣେ ଗ୍ୟାସ ଚୁଲି ମରାମତି କରୁଥିବା ବିଷୟରେ ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସୁଜିତ ଦାସ (୩୫), ଏମଡି ସାକିର (୩୪), ତେଜରାଜ ବେସନ (୨୯), ଉଦୟ ସାହୁ (୨୭), ଅଜିତ କୁମାର ରାଏ (୩୯), ରବି ସା, ସୁରଜ ସାହୁ, ପତିଙ୍କୁ ପଟେଲ (୪୦) ଓ ମାନସ ପାତ୍ର (୩୨) ରୂପେ କରାଯାଇଛି । ଏହି ମାମଲାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଆଶା କରାଯାଉଛି ଓ ଏଥିପାଇଁ ଆଗକୁ ତଦନ୍ତ ଜାରି ରଖାଯାଇଛି ବୋଲି କୁହାଯାଉଛି ।

Comments (0)
Add Comment