ଫୁଲବାଣୀ :-ସାରା ରାଜ୍ୟରେ ଆଶା କର୍ମୀମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିକ୍ଷୋଭ ଚାଲିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ତାହା ଦେଖିବାକୁ ମିଳିଛି । ଜ଼ିଲ୍ଲା ସଭାପତି ଅମ୍ବିକା ବେହେରାଙ୍କ ନେତୃତ୍ୱରେ ଜ଼ିଲ୍ଲାର ଶତାଧିକ ଆଶା କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଆଶାକର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବୀ ୭ ରୁ ୧୨ ଦଫା ଦାବୀ ପୂରଣ ନ ହେବା ଓ ସରକାର ତାଙ୍କର ହିତ ନିମନ୍ତେ କୌଣସି ଦୃଢ ପଦକ୍ଷେପ ନ ନେବା ଫଳରେ ଆଜି ଶତାଧିକ ଆଶା କର୍ମୀ ଜ଼ିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି । ଦାବି ସମୂହ ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବରେ ମାନ୍ୟତା ଦିଆଯାଉ । ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ମାସକୁ ୧୮୦୦୦ ହଜାର ଟଙ୍କା ପ୍ରଦାନ କରାଯାଉ ।
ଆଶାକର୍ମୀଙ୍କୁ ସରକାର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ଅବସରର ନେଇଥିବା କର୍ମୀମାନଙ୍କୁ ଏକକାଳୀନ ୫ ଲକ୍ଷ ପ୍ରଦାନ କରାଯାଉ ଏବଂ ୫ହଜାର ଟଙ୍କା ମାସିକ ଭତ୍ତା ଦିଆଯାଉ । କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ୫ ଲକ୍ଷ ମୃତ୍ୟୁକାଳୀନ ସହାୟତା ଦିଆଯିବା ସହିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯାଉ ।ଯୋଗ୍ୟତା ଭିତିକ ଆଶାକର୍ମୀ ମାନଙ୍କୁ ଏ. ଏନ. ଏମ ନିଯୁକ୍ତି ଦିଆଯାଉ । କୋଭିଡ-୧୯ ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାର ଘୋଷଣା କରିଥିବା ରାଶି ତୁରନ୍ତ ପ୍ରଦାନ କରାଯାଉ ଆଦି ରହିଛି । ଆଗାମୀ ଦିନରେ ଯଦି ସରକାର ଆମର ଦାବିସମୂହ ପୂରଣ ନ କରନ୍ତି ତାହେଲେ ଆମ୍ଭେମାନେ ରାଜ ରାସ୍ତାକୁ ଓହ୍ଲେଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର ମଧ୍ୟ ସେଠାରେ ଉପସ୍ଥିତ ରହି ଆଶାକର୍ମୀ ମାନଙ୍କ ଦାବୀ ନ୍ୟାୟ ସଙ୍ଗତ, ତେଣୁ ଆଶା କର୍ମୀଙ୍କ ଦାବୀକୁ ରାଜ୍ୟ ସରକାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
ଦୀର୍ଘ ସମୟ ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତତ୍କାଳୀନ ଅଫିସର ପ୍ରଦ୍ୟୁମ୍ନ ମଣ୍ଡଳ ଆସି ଆଶା କର୍ମୀ ମାନଙ୍କ ଦୁଃଖ ବୁଝି ସରକାରଙ୍କ ନିକଟରେ ଆପଣ ମାନଙ୍କ ଦାବିସମୂହ ଆମେ ଉପସ୍ଥାପନା କରିବୁ ବୋଲି ପ୍ରତିଶୃତି ଦେବା ପରେ ଧାରଣା ସ୍ଥଳରୁ ଓହରି ଥିଲେ ଆଶାକର୍ମୀ ମାନେ ।