ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୋଟିନଡା ଗ୍ରାମର ବସନ୍ତ ଛଟେଇ ଓ କିଶୋରୀ ଛଟେଇଙ୍କ ୫ ବର୍ଷର ନିଖୋଜ ପୁଅ ପ୍ରଭୂପାଦ ଛଟେଇଙ୍କ ମୃତଦେହ ଘର ବାରିପଟ କୂଅରୁ ବିଳମ୍ବିତ ରାତିରେ ଠାବ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ପ୍ରଭୂପାଦ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ରହିଥିଲା । ପରବର୍ତ୍ତୀ ସମୟରେ ପରିବାର ଲୋକେ ଉକ୍ତ ସମୟ ଠାରୁ ମଙ୍ଗଳବାର ରାତି ଯାଏଁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୁତ୍ରର କୌଣସି ସନ୍ଧାନ ପାଇନଥିଲେ । ଯାହାଫଳରେ ପରିବାର ଲୋକେ ନିଖୋଜ ରହିଥିବା ବେଳେ ଅପହରଣ ସନ୍ଦେହରେ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୪୨୬/୨୨ ପ୍ରକାରେ ତଦନ୍ତ ଚଳାଇଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ବିଳମ୍ବିତ ରାତି ଯାଏଁ ଖୋଜାଖୋଜି କରିବା ପରେ ଶିଶୁର ମୃତଦେହ ବାରି କୂଅରେ ମୃତ ଅବସ୍ଥାରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବରପାଇ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲ ପଠାଇ ଦେଇଥିବା ଜଣାପଡିଛି ।