କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନରେ ଭେଟିଛନ୍ତି । ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ. ଜାତୀୟ ରାଜପଥ ରହିଥିବା ବେଳେ ଏବେ ପୁଣି ଜିଲ୍ଲା ଦେଇ ଆଉ ତିନୋଟି ଜାତୀୟ ରାଜପଥ ନିର୍ମାଣ ପାଇଁ ଲିଖିତ ପ୍ରସ୍ତାବ ଦେଇଛନ୍ତି । ସେ ଗୁଡିକ ହେଲା ଜାତୀୟ ରାଜପଥ ନଂ.୫୭ ମାଧପୁର ଠାରୁ ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, ସାରଙ୍ଗଗଡ ଦେଇ କ. ନୂଆଗାଁ ନିକଟସ୍ଥ ଦାରିଙ୍ଗବାଡି ୫୯ନଂ.ଜାତୀୟ ରାଜପଥକୁ ସଂଯୋଗ, ଦ୍ୱିତୀୟ ବାଲିଗୁଡ଼ା ୫୯ ନଂ. ଜାତୀୟ ରାଜପଥ ଠାରୁ ବାରଖମା, ସୁଡ୍ରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସୋନପୁର ନିକଟରେ ସଂଯୋଗ, ତୃତୀୟରେ ତୁମୁଡ଼ିବନ୍ଧ ୫୯ ନଂ.ଜାତୀୟ ରାଜପଥଠାରୁ କୋଟଗଡ, ମୁନିଗୁଡ଼ା, ବିଷମକଟକ ହୋଇ ରାୟଗଡ଼ାରେ ସଂଯୋଗ । ପୂର୍ବରୁ ଏକ ଲିଖିତ ପତ୍ର ପ୍ରଦାନ କରିଥିବା ବେଳେ ଏବେ ପୁଣି ଉକ୍ତ ଦାବୀକୁ ପତ୍ର ମାଧ୍ୟମରେ ଦୋହରାଇଛନ୍ତି । ଯାହାକୁ କେନ୍ଦ୍ରମନ୍ତ୍ରୀ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି । ପୂର୍ବ ଚିଠି ନେଇ କ’ଣ ଅଗ୍ରଗତି ହୋଇଛି ତାହା ଖୁବ ଶୀଘ୍ର ପୂର୍ବତନ ବିଧାୟକ ଶ୍ରୀ ମାଝୀଙ୍କୁ ଜଣାଇବା ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ତେବେ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଖୁବ ଶୀଘ୍ର ଏହି କାର୍ଯ୍ୟ ଆଗକୁ ନେଇ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରିବେ । ଏହି ତିନୋଟି ଜାତୀୟ ରାଜପଥ ନିର୍ମାଣ ହୋଇଗଲେ କନ୍ଧମାଳ ଜିଲ୍ଲାରୁ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଯାତାୟତ ସହ ପଶ୍ଚିମ, ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ଯାତାୟତ ପାଇଁ ରାସ୍ତା ସୁଗମ ହୋଇପାରିବ ।

Comments (0)
Add Comment