ପୋଲିସ୍‌ ହାତରେ ଧରା ପଡିଲେ ଟ୍ରକ ଚୋରି ଗ୍ୟାଙ୍ଗ

ଚମ୍ପୁଆ:ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ଆଲୁଅ ହୁଏ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଚମ୍ପୁଆ ପୋଲିସ୍‌ । ଓଡିଶାରେ ଚୋରି ହୋଇଥିବା ଟ୍ରକକୁ ଶେଷରେ ଝାଡଖଣ୍ଡ ରାଜ୍ୟରେ ଉଦ୍ଧାର କରିବା ସହିତ ଚୋରିରେ ବ୍ୟବହୃତ ଧଳା ସ୍କ୍ରପିଓ ଗାଡିକୁ ଜବତ କରି ୫ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସୂଚନା ମୁତାବକ ଗତ ୧୯ ତାରିଖ ମଧ୍ୟ ରାତ୍ରୀରେ ଜାତୀୟ ରାଜପଥ ୨୦ନଂ ନାରଦପୁରଠାରେ କୋଇଡା ଅଂଚଳର ଶୁଭ୍ରଜିତ୍‌ ମହାନ୍ତିଙ୍କ ୧୨ ଚକିଆ ଟ୍ରକ ନମ୍ବର ଓ.ଆର.୦୪.ଏନ୍‌ ୭୮୨୮ ଟିକୁ ଡ୍ରାଇଭର ଠିଆ କରି ପରିସ୍ରା କରିବାକୁ ଯାଇଥିଲା ବେଳେ ଏକ ଧଳା ରଙ୍ଗର ସ୍କୋର୍ପିଓ ନମ୍ବର ଜେ.ଏଚ୍‌.୦୧ ବିଜି. ୦୭୭୮ରେ ଥିବା ଚାରିଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦ୍ୱାରା ଡ୍ରାଇଭରକୁ ଭୟଭୀତ କରିବାରୁ ଡ୍ରାଇଭର ସେଠାରୁ ଡେଇଁ ପଳାଇଯାଇଥିଲେ । ଦୁବୃର୍ତ୍ତମାନେ ଉକ୍ତ ଟ୍ରକଟିକୁ ଝାଡଖଣ୍ଡ ଆଡକୁ ନେଇ ଯାଉଥିଲା ବେଳେ ପେଟ୍ରୋଲିଂ କରୁଥିବା ଚମ୍ପୁଆ ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗାଡିକୁ ପିଛା କରିଥିଲେ । ମାତ୍ର ଗାଡିଟି ଓଡିଶା ସୀମା ପାର ହୋଇଯାଇଥିବାରୁ ତୁରନ୍ତ ଝାଡଖଣ୍ଡ ରାଜ୍ୟ ହାଟଗମ୍ଭାରିଆ ଥାନାର ସହାୟତା ମଗାଯାଇ ଓଡିଶା ପୋଲିସ୍‌ ଦ୍ରୁତ ବେଗରେ ଗାଡିଟିକୁ ପିଛା କରିଥିଲେ । ପରେ ହାଟଗମ୍ଭାରିଆ ନିକଟରେ ଗାଡିଟିକୁ ଅଟାକାଇବାରେ ସଫଳ ହେବା ସହିତ ଟ୍ରକରେ ଥିବା ଚାରି ଦୁବୃର୍ତ୍ତ ଙ୍କୁ ଗିରଫ କରିବା ପରେ ଧଳା ସ୍କୋର୍ପିଓ ଓ ତା ମଧ୍ୟରେ ଥିବା ଅନ୍ୟ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ହୋଇଥିବା ଯୁବକ ମାନେ ହେଲେ ନୁଆମୁଣ୍ଡି ଅଂଚଳର ସନ୍ତୋଷ ପାନ, ଗୟା ଜିଲ୍ଲାର ଏମ.ଡି. ଆଲକ୍ୱାଆମା, ଝାଡଖଣ୍ଡ ଅଂଚଳର ମହେଶ ପାନ, ମୁକେଶ ପାନ ଓ ବଡବିଲ୍‌ ଅଂଚଳର ଅଭିମନ୍ୟୁ ପ୍ରଧାନ ବୋଲି ତଦନ୍ତ କାରୀ ଅଧିକାରୀ ସାନ୍ତନୁ କୁମାର ଜେନା ସୂଚନା ଦେବା ସହିତ କେଶ ନମ୍ବର ୮୦/୨୦୨୩ ରୁଜୁ କରାଯାଇ ଆସାମୀକୁ କୋର୍ଟ ଫରୱାର୍ଡ କରାଯିବ ବୋଲି ସୂଚନା ଦେଇଛନ୍ତି ।

Comments (0)
Add Comment