ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସପ୍ତମ ବାର୍ଷିକ ଉତ୍ସବ

ହରଭଙ୍ଗା,:- ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସପ୍ତମ ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ହରଭଙ୍ଗାବ୍ଲକ ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ଜିଲ୍ଲା ସଭାପତି ପୁର୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିବାସହ ଏହି ସମସ୍ୟା ଉପରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ ପାଇଁ ନିଜସ୍ୱ ମତ ରଖିଥିଲେ । ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ ଯୋଗଦେଇ ସାମ୍ବାଦିକଙ୍କ ମୌଳିକ ଅଧିକାର ଓ ସୁରକ୍ଷା ପାଇଁ ଦାବି ରଖିବାସହ ବୌଦ୍ଧ ଜିଲ୍ଲାରେ ମହିଳା ସାମ୍ବାଦିକଙ୍କ ସ୍ଥାନକୁ ଅଗ୍ରାଧିକାର ଦେବାପାଇଁ ମତ ରଖିଥିଲେ । ସେହିପରି ସଙ୍ଘର ଉପଦେଷ୍ଟା ତଥା ଦୈନିକ ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲ, ଦିବ୍ୟ ଶଙ୍କର ରାଉତ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସାମ୍ବାଦିକ ରଞ୍ଜନ ପାତ୍ର ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ବୌଦ୍ଧ ଶାଖା ସାଧାରଣ ସମ୍ପାଦକ ଭାଗବତ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ଶେଷରେ ସାମ୍ବାଦିକ ଓ ସମାଜସେବୀ ଭାବରେ ବିଭୁଦତ୍ତ ବୋଷ ଓ ସମାଜସେବୀ ତଥା ଜୀବନ ଜ୍ୟୋତି ପ୍ରତିଷ୍ଠାତା ପ୍ରଶାନ୍ତ ବିଶିଙ୍କୁ ମାନପତ୍ର ଓ ଉପଢୌକ଼ନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜକୁ ନିରନ୍ତରଭାବେ ୭ ବର୍ଷ ଧରି ଓଜେୟୁ ବୌଦ୍ଧ ଶାଖା ରାଜ୍ୟ ସହିତ ଜିଲ୍ଲା ଓ ଗ୍ରାମାଞ୍ଚଳରେ ତାର ବୃକ୍ଷରୋପଣ, ରକ୍ତଦାନ ଶିବିର ସହ ଅସହାୟଙ୍କୁ ସେବା ଯୋଗାଇବା କାର୍ଯ୍ୟକ୍ରମ କରିଆସୁଛି । ସଙ୍ଘର ଏହି କାର୍ଯ୍ୟକଳାପକୁ ଉପସ୍ଥିତ ଥିବା ବିଭିନ୍ନ ମହଲର ନିମନ୍ତ୍ରିତ ଅତିଥିମାନେ ପ୍ରଶଂସା କରିଥିଲେ । ଶେଷରେ ସଂଘର ସଦସ୍ୟ ଜୟକୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment