ବାଲିଗୁଡ଼ା: ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କିଛି ନିଆରା ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ପୂର୍ବରୁ କୋଟଗଡ଼ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନାଚ, ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଳେ ବର୍ତ୍ତମାନ ଅଞ୍ଚଳର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ତୃଣମୂଳ ସ୍ତରରୁ ଜନ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ନିଆଁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହଯୋଗ ଲୋଡ଼ିଛନ୍ତି ।
ଏନେଇ କୋଟଗଡ଼ ବ୍ଲକର ୧୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରାୟ ୮୦ ମହିଳାଙ୍କୁ ନେଇ ବନାଞ୍ଚଳ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କ’ଣ,କ’ଣ କ୍ଷତି ଘଟୁଛି ଏବଂ ଜୀବଜଗତ ଉପରେ କ’ଣ ପ୍ରଭାବ ପଡୁଛି, ସେନେଇ ମା ମାନଙ୍କୁ ଅବଗତ କରାଇବା ସହ ପ୍ରତ୍ୟେକ ମା’ମାନେ କେମିତି ନିଜ ନିଜର ସାହି, ୱାର୍ଡ ଓ ପଞ୍ଚାୟତରେ ସଭା ମାଧ୍ୟମରେ ଲୋକଙ୍କୁ କିଭଳି ବୁଝାଇବେ ଏବଂ ଜଙ୍ଗଲ ସୁରକ୍ଷା କିଭଳି କରାଯାଇପାରିବ ସେନେଇ କୋଟଗଡ଼ ବନାଞ୍ଚଳ ତରଫରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା । ଅନ୍ୟପଟେ ଗୋଷ୍ଠୀର ମା ମାନେ ବିଭାଗର ଅନୁରୋଧ କ୍ରମେ ଏଥିରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବନାଞ୍ଚଳର ସମସ୍ତ ବନପାଳ ଓ ସମସ୍ତ କର୍ମଚାରୀ ସାମିଲ୍ ହୋଇ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।