ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ୩ ଜିଲ୍ଲାର ଜନପ୍ରତିନିଧି

ଗଞ୍ଜାମ: ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କିଭଳି ନୂତନ ବୈଷୟିକ କାରିଗରୀ ନକ୍ସାର ଢାଞ୍ଚାରେ ନିର୍ମାଣ ହୋଇଥିବା ପ୍ରକଳ୍ପଗୁଡିକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନପ୍ରତିନିଧିମାନେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକକୁ ଆସିଥିଲେ । ବଡ଼ଖରିଡ଼ା କାଳେଶ୍ୱର ମନ୍ଦିରକୁ ଯାଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସେଠାରେ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଥିବା ମଡେଲ ପାର୍କକୁ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନର କର୍ମଚାରୀ ଓ ବ୍ଲକର ପ୍ରାୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି କାର୍ଯ୍ୟର ମାନ ସମ୍ପର୍କରେ ବୁଝି ଶିକ୍ଷା ଅର୍ଜନ କରିଛନ୍ତି । ଏଭଳି ଢାଞ୍ଚାରେ ନିଜ ନିଜର ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ଲାଗି ଗୁରୁତ୍ୱ ଦେଇଛନ୍ତି । ସେଠାରୁ ଭୀମପୁର ପଞ୍ଚାୟତର ମୁକ୍ତେଶ୍ୱର ହାଇସ୍କୁଲକୁ ଯାଇ ସ୍ମାର୍ଟ କ୍ଲାସ ଶ୍ରେଣୀ ଗୃହ ବୁଲି ଦେଖିବା ସହ ଐତିହାସିକ ଜଉଗଡ଼ ଓ ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ମାନ ଦେଖିଥିଲେ । ଏହି ଜନ ପ୍ରତିନିଧିମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ୨୨ଜଣ, ବୌଦ୍ଧର ୧୨ ଜଣ ଓ କନ୍ଧମାଳ ଜିଲ୍ଲାର ୩୯ଜଣ ଜନ ପ୍ରତିନିଧିମାନେ ରହିଥିଲେ । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡିଓ ବିଜୟ କୁମାର ବେହେରା, ସିଡିପିଓ ବବିତା ଚ୍ୟାଉପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ଡଃ ପ୍ରମୋଦ କୁମାର ମହାପାତ୍ର, ଜିଲା ବିଜେଡିର ସାଧାରଣ ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ସମେତ ଜନପ୍ରତିନିଧି ଉପସ୍ଥିତ ଥିଲେ ।

Comments (0)
Add Comment