ନନ୍ଦାହାଣ୍ଡି : ହରିଶ୍ଚନ୍ଦ୍ର ନାୟକ । ବୟସ ପ୍ରାୟ ୬୮ ବର୍ଷ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଗ୍ରାମ ଡଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଠାରେ,ଦୀର୍ଘ ୨୬ ବର୍ଷ ଚାକିରୀ କରିଥିଲେ । ଅବସରର ୮ ବର୍ଷ ପରେ ମଧ୍ୟ ମିଳିଲାନି ପେନସନ । ଦିନେ ଯେଉଁ ବ୍ୟାଙ୍କର କର୍ମଚାରୀ ଥିଲେ ଆଜି ପେନସନ ଟିକକ ପାଇବା ପାଇଁ ଡହଳ ବିକଳ ଆଉ ଧାଇଁ ଧାଇଁ ନୟାନ୍ତ । ହାତଗୋଡ଼ ପକ୍ଷାଘାତରେ ଆକ୍ରାନ୍ତ । ସେ ଜଣେ ମଧୁମେହ ରୋଗୀ । ଏକମାତ୍ର ଭେଣ୍ଡା ରୋଜଗାରିଆ ପୁଅ ସନ୍ତୋଷ ଅଚାନକ ହୃଦଘାତରେ ଆରପାରିକୁ ଚାଲିଗଲା । ଅଚାନକ ଦୁଃଖର ପାହାଡ଼ ଏହି ପରିବାର ଉପରେ ପଡିଗଲା । ଘରେ ପତ୍ନୀ, ବିଧବା ବୋହୂ ଆଉ ୩ ବର୍ଷର ନାତୁଣୀ ଟିଏ । ରୋଜଗାରର କୌଣସି ପନ୍ଥା ନାହିଁ । ଦୁଃଖ କଷ୍ଟରେ ଜର୍ଜରିତ ଆଜି ଏହି ପରିବାର । ଏକଥା ଶୁଣି ଯୁବ ଆଇନଜୀବୀ ତଥା ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା ସହାୟତାର ହାତ ବଢାଇଛନ୍ତି । ସେ ଏ ବାବଦରେ ମୋ ସରକାର,ମାନ୍ୟବର ପ୍ରଧାନମନ୍ତ୍ରୀ,ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରିଛନ୍ତି ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବିଭିନ୍ନ ଶାଖାକୁ ଇମେଲ ମାଧ୍ୟମରେ ମଧ୍ୟ ଜଣେଇଛନ୍ତି । ତଥାପି ଫଳ ଶୂନ । ଜନପ୍ରତିନିଧି ତଥା ସରକାର ଏହି ପରିବାରକୁ ସହାୟତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।