ସଜେଇ ହେଉଛି ସାତକୋଶିଆ

ଦଶପଲ୍ଲା : ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀ ଚଳଚଞ୍ଚଳ ହୋଇ ଉଠେ । ପର୍ଯ୍ୟଟକଙ୍କ ଗହଳୀ ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିରେ ଅବସର ବିନୋଦନର ଭରପୁର ମଜ୍ଜା ଆସିଥାଏ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ‘ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ’ ଅନ୍ୟତମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡିକର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ନଭେମ୍ବର ୧୫ରେ ଏହାର ଶୁଭ ଉଦଘାଟନ କରାଯିବା ପାଇଁ ଦିନ ସ୍ଥିର ହୋଇଛି । ଏନେଇ ମୁଦୁଲିଗାଡିଆ ମାଆ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ପୂର୍ବ ବର୍ଷ ପରି ମହାନଦୀର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା ଉପରେ ଚଳିତ ବର୍ଷ ୧୬ ଟି ଅଣ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯିବ । ପଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସ୍ଥଳେ ଟେଣ୍ଟ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି । ସାତକୋଶିଆ ଗଣ୍ଡକୁ ଲାଗି ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ମହାନଦୀର ନୀଳ ଜଳରାଶି ଉପରେ ବୋଣ୍ଟିଂର ମଜ୍ଜା ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି । ସେହିପରି, ପିଲାଙ୍କ ପାଇଁ ଖେଳଣା ପାର୍କ, ଦୋଳି, ପର୍ଯ୍ୟଟକଙ୍କ ପାଇଁ ଭଲି, ବ୍ୟାଟମିଣ୍ଟନ, ସାଇକେଲିଂ, ଜଙ୍ଗଲ ଟ୍ରାକିଂ, ରୋପ ୱେ, ଲାଇବ୍ରେରି, ବୋଟିଂ, କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଥିବାରୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଭିଡ ଲାଗିବ ବୋଲି ଆଶା କରାଯାଇଛି । ପର୍ଯ୍ୟଟନ ଋତୁରେ ବାଲୁକା ଶଯ୍ୟାରେ ଅସ୍ଥାୟୀ କଟେଜ୍‌ ବ୍ୟତୀତ ମଙ୍ଗାନାସୀ ପାହାଡରେ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ ଓ ପାହାଡ ପାଦଦେଶରେ ୪ଟି ଶୀତତାପ ନିୟନ୍ତ୍ରିତ କଟେଜ୍‌ ବର୍ଷ ତମାମ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ପ୍ରକୃତିରାଣି କୋଳରେ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ସାତକୋଶିଆ ଗଣ୍ଡରେ ନାନା ରଙ୍ଗବେରଙ୍ଗର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କୁ ସମାଗମ ଦେଖି ପର୍ଯ୍ୟଟକମାନେ ଖୁସି ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇବା, ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ବଡମୂଳ ଆଦିସ୍ଥାନରେ ବଣ ଭୋଜି ପାଇଁ ସୁଯୋଗ ସୃଷ୍ଟି ହୋଇଛି । ପର୍ଯ୍ୟଟକଙ୍କୁ ବଣଭୋଜି ପାଇଁ ବଡମୂଳଠାରେ ପିଣ୍ଡି ନିର୍ମାଣ କରାଯିବା ସହ ବଡମୂଳ ଓ ମାଳିସାହି ୨ଟି ସ୍ଥାନରେ ବୋଟିଂ ବ୍ୟବସ୍ଥା କରାଯାଇଛି ।

Comments (0)
Add Comment