ହକି ବିଶ୍ୱକପକୁ ଜନାଦୃତ କରିବା ପାଇଁ ଅଭିନବ ପ୍ରୟାସ

ସୁବର୍ଣ୍ଣପୁର : ଆସନ୍ତା ମାସରେ ଓଡିଶାରେ ଆୟୋଜିତ ହେବାକୁ ଥିବା ଜାତୀୟ ଖେଳ ବିଶ୍ୱ କପ ହକିକୁ ସାରା ସୁବର୍ଣ୍ଣପୁର ଜ଼ିଲ୍ଲାରେ ଜନାଦୃତ କରିବା ପାଇଁ ଜ଼ିଲ୍ଲାର ହକି ଖେଳାଳୀ, ହକି ଫ୍ୟାନ୍ସ ଓ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଆୟୋଜକ ଓଡିଶା ରାଜ୍ୟକୁ ସମସ୍ତ ସହଯୋଗ କରିବା ପାଇଁ ସୁବର୍ଣ୍ଣପୁର ଜ଼ିଲ୍ଲପାଳଙ୍କ ଅଫିସ କ୍ୟାମ୍ପସରେ ଏକ ସାମ୍ବାଦିକ ସମ୍ମିଳନୀରେ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପ୍ରକାଶ କରିଥିଲେ । ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଏହି ସମ୍ମିଳନୀରେ ଜ଼ିଲ୍ଲାପାଳ ଶ୍ରୀମତୀ ନରୱଣେ ଆହୁରି କହିଥିଲେ ଯେ ଜ଼ିଲ୍ଲାସାରା ସବୁ ପଞ୍ଚାୟତକୁ ବୁଲିବ ଏକ ସଚେତନତା ରଥ । ଏହାକୁ ଏକ ମହୋତ୍ସବ ଭଳି ପାଳନ କରିବା ପାଇଁ ଏବଂ ପ୍ରତ୍ୟେକ ଖେଳ ପ୍ରେମୀଙ୍କୁ ହକି ପ୍ରତି ଆକର୍ଷଣ କରାଇବାକୁ ଜ଼ିଲ୍ଲା ସ୍ତରୀୟ ସମସ୍ତ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି, ସମାଜସେବୀ, ସାମ୍ବାଦିକ ଓ ସମସ୍ତ ଅନୁଷ୍ଠାନକୁ ନିବେଦନ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଆମ ଜାତୀୟ ଖେଳ ହକି ଏବେ ସୁଦ୍ଧା ତାରି ହକ ପାଇନି । ଫୁଟବଲ କ୍ରିକେଟ ଭଳି ହକି ଖେଳକୁ ଅଧିକରୁ ଅଧିକ ଦର୍ଶକ ଦେଖିବାକୁ ଏବଂ ସାରା ଭାରତରେ ଲୋକାଭିମୁଖୀ କରିବାକୁ ଓ ଏହାର ସୁଦୂର ପ୍ରଚାର ପ୍ରସାର କରିବାକୁ ସମସ୍ତଙ୍କ ପ୍ରୟାସ ଜରୁରୀ ବୋଲି କହିଥିଲେ । ହକିର ସବୁ କ୍ରିୟାକଳାପରେ ଭାଗ ନେଇ ଏହାକୁ ସ୍ମରଣୀୟ କରିବାକୁ ଜ଼ିଲ୍ଲା ତଥା ରାଜ୍ୟ ପ୍ରଶାସନର ଏଇ ଭିତ୍ତିଭୂମି ଓ ସମସ୍ତ ଆୟୋଜନକୁ ସହଯୋଗ କରିବାକୁ ଓ ଉତ୍ସାହ ବଢାଇବାକୁ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ମତ ରଖିଥିଲେ । ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇଙ୍କ ସମେତ ଜ଼ିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ ସାମ୍ବାଦିକ ଯୋଗ ଦେଇଥିଲେ ।

Comments (0)
Add Comment