ନବରଙ୍ଗପୁର:-ଆସନ୍ତା ଡିସେମ୍ବର ମାସ ୧୦ ରୁ ୧୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ-୨୦୨୨ ନିମନ୍ତେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ଆନ୍ତଃ ବ୍ଲକ ମଣ୍ଡେଇ କପ ଫୁଟବଲ ଓ ଭଲିବଲ ମ୍ୟାଚ କରିବା ନିମନ୍ତେ ଅନୁମୋଦନ କରାଯାଇଛି । ଏଥିରେ ସମସ୍ତ ଦଶ ଗୋଟି ବ୍ଲକ ସମେତ ନବରଙ୍ଗପୁର ଏବଂ ଉମରକୋଟର ପୌରପାଳିକା ଦଳ ମଧ୍ୟ ଭାଗ ନେବେ ବୋଲି ନିଷ୍ପତ୍ତି ହୋଇଛି । ଏହି ସମସ୍ତ ଖେଳ ନବରଙ୍ଗପୁର ଏବଂ ଉମରକୋଟ ଜୋନରେ ଅନୁଷ୍ଠିତ ହୋଇ ଫାଇନାଲ୍ ନବରଙ୍ଗପୁରଠାରେ ଅନୁଷ୍ଠିତ ହେବ । ଏଥି ସମେତ ୪୦ ବର୍ଷରୁ ଉଦ୍ଧ୍ୱର୍ ଖେଳାଳିଙ୍କୁ ନେଇ ଜିଲ୍ଲା ସ୍ତରୀୟ ବ୍ୟାଟମିଣ୍ଟନ କ୍ରୀଡା ଅନୁଷ୍ଠିତ ହେବ । ଉଭୟ ଏକକ ଏବଂ ଯୋଡ଼ାଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଅବସରରେ କ୍ରିକେଟ କ୍ରୀଡାର ପ୍ରଦର୍ଶନୀ ମ୍ୟାଚ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ହରେ କୃଷ୍ଣ ପଣ୍ଡା ସମେତ କ୍ରୀଡା ଶିକ୍ଷକ ମନୋରଞ୍ଜନ ପ୍ରହରାଜ, ପ୍ରଭାତ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଲିଙ୍ଗରାଜ ମହାନ୍ତି, ବିଭାସିସ ଦେ, ଅଜିତ ପରିଜା, ବ୍ରଜବନ୍ଧୁ କାଣ୍ଡି ପ୍ରମୁଖ କମିଟି ସଭ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଏହି ସମସ୍ତ କ୍ରୀଡା ର ଫାଇନାଲ ମ୍ୟାଚ ମଣ୍ଡେଇ ମୁଖ୍ୟ ସମାରୋହ ଦିନ ଗୁଡିକରେ ଅନୁଷ୍ଠିତ ହେବ ।