ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗାଁଠୁ ସହର ସର୍ବତ୍ର ଝୁଲୁଛି ନବ ବର୍ଷର ଅଭିନନ୍ଦନ ଭରା ପୋଷ୍ଟର ଓ ବ୍ୟାନର । ବିଭିନ୍ନ ରାଜନୈତିକ ଦଳର ସଂକେତରେ ଶୋଭା ପାଉଥିବା ଏ ସବୁକୁ ଦେଖିଲେ, ଯେ କେହି ଏଥିରୁ ପାଇପାରିବ ରାଜନୀତିର ବାସ୍ନା । ୨୦୨୪ ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ୨୦୨୩ରୁ ରାଜନୈତିକ ତାତି ବୃଦ୍ଧି ପାଇଲାଭଳି ମନେ ହେଉଛି । ପୋଷ୍ଟର ଓ ବ୍ୟାନର ଜରିଆରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ପତିଆରା ବଢ଼ାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରି ଦେଇଥିବାର ଚର୍ଚ୍ଚା ଏବେ ଦଶପଲ୍ଲାରେ ଜୋର୍ ଧରିଛି । ନୂଆବର୍ଷର ପାଦ ଥାପୁ ଥାପୁ ପ୍ରଚଣ୍ଡ ଶୀତରେ ମଧ୍ୟ ରାଜନୈତିକ ବାତାବରଣ ଧିରେ ଧିରେ ଗରମ ହେଉଥିବା, ସ୍ପଷ୍ଟ ବାରିହୋଇ ପଡ଼ିଲାଣି । ଏଥିରୁ ଆକଳନ କରାଯାଉଛି ଯେ, ଆଗାମୀ ସାଧାରଣ ନିର୍ବାଚନ ସମୟ ପୂର୍ବରୁ ଦଶପଲ୍ଲାର ରାଜନୈତିକ ବାତାବରଣ କେତେ ଗରମ୍ ରହିବ । ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ରାଜନୈତିକ ମଇଦାନରେ ପ୍ରାକ୍ ପ୍ରସ୍ତୁତି ପାଇଁ ଏକରକମ କସରତ ଆରମ୍ଭ କରି ଦେଇଥିବାବେଳେ ଆଗକୁ ଦିନ ଯେତିକି ଗଡିବ ଉଷ୍ମତା ଆହୁରି ବଢିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଥିବାର ଶୁଣିବାକୁ ମିଳୁଛି ।