ଗଦାପୁରଠାରେ ପରିବର୍ତ୍ତନ ମେଳା ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁରଠାରେ ଅଞ୍ଚଳର ଚାରିଗୋଟି ପଞ୍ଚାୟତ ଗଦାପୁର, ହାତିମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ସରକାରୀ ଯୋଜନାର ସଚେତନା କାର୍ଯ୍ୟକ୍ରମ ପରିବର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଭାବେ ଜଳଛାୟା ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ତହସିଲଦାର ଡ଼ଃ. ଅଶୋକ କୁମାର ଦାସ,ସିଡ଼ିପିଓ ଅଞ୍ଜଳି ମହାପାତ୍ର,ଏପିଓ ତ୍ରିନାଥ ନାୟକ, ବନପାଳ ଅଞ୍ଜନ ନାୟକ, ବ୍ଲକ ଯୋଗାଣ ଅଧିକାରୀ ନିହାର ବେହେରା, ପଶୁ ସଂପଦ ଅଧିକାରୀ ଦୀପକ କୁମାର ପ୍ରଧାନ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗ ପକ୍ଷରୁ କ’ଣ ସବୁ ସରକାରୀ ସୁବିଧା ଯୋଗାଇ ଦିଆଯାଉଛି, ଏବଂ କିପରି ଜଣେ ସାଧାରଣ ବ୍ୟକ୍ତି ସରକାରୀ ଯୋଜନାର ଅଂଶୀଦାର ହୋଇପାରିବ ସେନେଇ ଜନ ସମୂହକୁ ବୁଝାଇ ଥିଲେ । ଏଥିସହିତ ବିଭିନ୍ନ ବିଭାଗର ଷ୍ଟଲ ଲଗାଇ ଲିଫଲେଟ ବଣ୍ଟନ କରି ଲୋକଙ୍କୁ ସଚେତନା କରାଯାଇଥିଲା ଏବଂ ଭ୍ରାମ୍ୟମାଣ ଚିକିତ୍ସକ ଡ଼ା. ରବୀନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଏକ ଷ୍ଟଲ ଲଗାଇ ରୋଗୀ ସେବା ପ୍ରଦାନ କରାଯାଇ ଥିଲା । ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପରିବର୍ତ୍ତନ କାର୍ଯ୍ୟକ୍ରମରେ ଲାଇନ ବିଭାଗ ଅଧିକାରୀ ମାନଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ,୧୧ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ, ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ, ତାଜୁଙ୍ଗିଆ ସରପଞ୍ଚ ଚୁମୁକି ପ୍ରଧାନ, ହାତିମୁଣ୍ଡା ସରପଞ୍ଚ ନବନିତା କପାଟ ପାତ୍ର, ସମିତି ସଭ୍ୟ ଅକ୍ଷୟ କୁମାର ନାୟକ ଓ ବିଭିନ୍ନ ୱାର୍ଡର ସଭ୍ୟସଭ୍ୟା ଏବଂ ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Comments (0)
Add Comment