ବୌଦ୍ଧ: ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ସ୍କୁଲରେ ଆଜିଠାରୁ ଏକ ହକି ଟିମ୍ ଗଠନ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସେଂଟ୍ ଜାଭିୟର୍ସ ସ୍କୁଲରେ ହକି ଷ୍ଟିକ୍ ଯୋଗାଇ ଦିଆଯାଇଛି । ସ୍କୁଲ ତରଫରୁ ହକି ସଂପର୍କିତ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ରାହାଗିରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଆଜି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ ଚନ୍ଦ୍ର ବେହେରା ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଭାଇସ ପ୍ରିନ୍ସିପାଲ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ହକି ଷ୍ଟିକ୍ ବଣ୍ଟନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁ ଓ ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀଙ୍କୁ ଏହି ଅବସରରେ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।