ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କଠାରେ ସାଂସଦଙ୍କ ଦାବି

ବଲାଙ୍ଗିର/ପାଟଣାଗଡ: ବଲାଙ୍ଗିର ଜ଼ିଲ୍ଲା ସଇଁତଲା ଏବଂ ବେଲପଡା ବ୍ଲକ ସୀମାରେ ଥିବା ଐତିହ୍ୟ ସଂପନ୍ନ ସୁପ୍ରସିଦ୍ଧ ଧର୍ମ ପୀଠ ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟାବରଣ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ସହିତ ଖପ୍ରାଡୁଙ୍ଗୁରି ସ୍ଥିତ ପ୍ରାକୃତିକ ଗୁମ୍ଫା, ପାହାଡ଼ ଉପରେ ଥିବା ସୁରମ୍ୟ ଜଳାଶୟ, ପାହାଡ଼ରେ ଥିବା ବିରଳ ପ୍ରଜାତିର ପଶୁ, ପକ୍ଷୀ, ବନ୍ୟପ୍ରାଣୀ, ବୃକ୍ଷଳତା ଏବଂ ସରୀସୃପ ମାନଙ୍କ ସୁରକ୍ଷା, ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ କରିଛନ୍ତି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଖପ୍ରାଡୁଙ୍ଗୁରି ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଉକ୍ତ ପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ,ସାଧୁ ସନ୍ଥ,ଭକ୍ତ,ଆସିଥାନ୍ତି । ପାହାଡ଼ ପାଦ ଦେଶରେ ମହାକାଳନ୍ତକ ଶିବ, ଶ୍ରୀ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା, ଶ୍ରୀ ଲକ୍ଷ୍ମୀ, ହନୁମାନ ମନ୍ଦିର ରେ ଭକ୍ତମାନେ ପୂଜାର୍ଚ୍ଚନା କରିବାକୁ ଆସୁଛନ୍ତି । ସଇଁତଲା ବ୍ଲକ, ପାଟଣାଗଡ ବ୍ଲକ ଏବଂ ବେଲପଡା ବ୍ଲକର ସ୍ୱେଚ୍ଛାସେବୀ, ଧର୍ମପରାୟଣ ବ୍ୟକ୍ତି ଏବଂ ଜନସାଧାରଣ ଏହି ଧର୍ମ ପୀଠର ହେଉଥିବା ବିଭିନ୍ନ ପର୍ବ,ପର୍ବାଣୀ ଯାନୀ,ଯାତ୍ରା ମହୋତ୍ସବ ପାଳନ କରନ୍ତି । ଯାତ୍ରା ପର୍ବ ସମୟରେ ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବୌଦ୍ଧ, ଫୁଲବାଣୀ ଜ଼ିଲ୍ଲା ରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି । ତେଣୁ ଖପ୍ରାଡୁଙ୍ଗୁରି ଧାର୍ମିକ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହିତ ପାନ୍ଥନିବାସ, ଧର୍ମଶାଳା, ବିଦ୍ୟୁତ, ଶୌଚାଳୟ, ଗୁମ୍ଫାର ସୌନ୍ଦର୍ଯ୍ୟ କରଣ, ପାହାଡ଼ରେ ପାହାଚ ଆଦିର ଉନ୍ନତିକରଣ ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ବିଶି ଚିଠିରେ ଦର୍ଶାଇଛନ୍ତି ।

Comments (0)
Add Comment