ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ଦୌରାଜଜ ବିଚାରପତି ଶିତିକଣ୍ଠ ସାମଲ ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୧୫ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ଜଗଦୀଶ ସାହାଣୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବାନାର୍ଜୀ ଓ ନିହାରିକା ପାତ୍ର ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୩୦/୬/ ୨୦୧୬ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଓ ତାଙ୍କ ଟିମ କୌଣସି ସୂତ୍ରରୁ ଖବର ପାଇ ବୈରିକୁମ୍ପା ଛକରେ ଜଗି ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଦୁଇଟି ଚାରି ଚକିଆ ଯାନ ଯଥା ଓ ଡି ୦୨- ଭି – ୦୦୫୩ ଧଳା ରିଟିଅସ ଓ ଓଆର-୦୭-କେ- ୯୪୨୪ ସୁମୋକୁ ସନ୍ଦେହରେ ଅଟକାଇ ତନଖି ନେବାରୁ ୩ କୁଇଣ୍ଟାଲ ୨୬ କେଜି ଓଜନର ଗଞ୍ଜେଇ ଉକ୍ତ ଦୁଇଟି ଗାଡିରୁ ଜବତ ହୋଇଥିଲା । ଗାଡି ଚାଳକ ଅଭିଯୁକ୍ତ ଜଗଦୀଶ ସାହାଣୀକୁ ଗିରଫ କରିବା ସହ ଅନ୍ୟ ୫ ଜଣଙ୍କୁ ମଧ୍ୟ ଫିରିଙ୍ଗିଆ ପୋଲିସ ଗିରଫ କରି ଏକ ମାମଲା ୭୯/୧୬ ଏନ୍ଡିପିଏସ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।