ଦଶପଲ୍ଲା : ନୟାଗଡ ଜିଲ୍ଲାରେ ସବୁଜ ପନି ପରିବା ଉପରେ ନିୟନ୍ତ୍ରଣ ରକ୍ଷା ହୋଇପାରୁନି । ଚାଷୀ ବିଲ ମୁଣ୍ଡରେ କେଜି ୧୫ ଟଙ୍କାରେ ବିକ୍ରି କରୁଥିବା ବେଳେ ବଜାରରେ କେଜି ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ଉକ୍ତ ଦ୍ରବ୍ୟ ଗୋଦାମରେ ୪୫ ଟଙ୍କାରେ ବିକ୍ରି ହେଉଛି । ଏଭଳି ପାର୍ଥକ୍ୟ ଉଭୟ ଖାଉଟି ଏବଂ ଚାଷୀଙ୍କୁ କ୍ଷତିଗସ୍ତ କରୁଥିବା ଦେଖାଯାଇଛି । ସୂଚନାନୁସାରେ, ନୟାଗଡ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକେରା,ବୁଗୁଡା, ଦୁର୍ଗାପ୍ରସାଦ ଏବଂ କୁଲୁରୁକୁମ୍ପା ପଞ୍ଚାୟରେ ମାତ୍ରାଧିକ ସବୁଜ ପନିପରିବା ଚାଷ ହେଉଛି । ଏହି ଅଞ୍ଚଳର ଶହ ଶହ ଆଦିବାସୀ ଚାଷୀ ବାଈଗଣ, କଲରା, ଜହ୍ନି ଭଳି ଅନେକ ପନି ପରିବାର ଚାଷ କରୁଛନ୍ତି । ଉକ୍ତ ଅଞ୍ଚଳର ଚାଷୀଙ୍କ ମତଅନୁସାରେ, ଏବେ ବାଈଗଣ ଦର ବିଲ ମୁଣ୍ଡରେ ୧୫ ଟଙ୍କାରେ ବିକ୍ରି ହେଉଥିବା ବେଳେ କଲରା ୧୮ ଟଙ୍କା ଏବଂ ଜହ୍ନି ୧୬ ଟଙ୍କାରେ ବିକ୍ରି କରାଯାଉଛି । ଉକ୍ତ ପରିବା ନୟାଗଡ ଓ ଖୋର୍ଦ୍ଧା ଗୋଦାମରେ ଦୁଇ ଗୁଣା ଦରରେ ନିଲାମ ହେଉଥିବା ସୂଚନା ମିଳିଛି । ୨୦ ତାରିଖ ତଥ୍ୟଅନୁସାରେ, ବାଇଗଣ କେଜିକୁ ଆଜି ୪୫ ଟଙ୍କାରେ ନିଲାମ ହୋଇଛି । ସେହିଭଳି ଭାବେ କଲରା କେଜି ୩୫ ଟଙ୍କାରେ ନିଲାମ ହୋଇଛି । ମାତ୍ର ନୟାଗଡ ଓ ଖୋର୍ଦ୍ଧା ବଜାରରେ ଖୁଚୁରା ବ୍ୟବସାୟୀ ଆଜି ବାଈଗଣ କେଜିକୁ ୫୦ ଟଙ୍କା ଏବଂ କଲରା କେଜିକୁ ୪୫ ଟଙ୍କାରେ ବିକ୍ରି କରିଥିବା ଜଣାଯାଇଛି । ଚାଷୀଠାରୁ କିଛି ଦଲାଲ ବାଈଗଣ କେଜିକୁ ୧୫ ଟଙ୍କାରେ ଆଣି ଗୋଦାମରେ ୪୫ଟଙ୍କା ଏବଂ ଖୁଚୁରାରେ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରିବାରେ ସଫଳ ହେଉଥିବା ବେଳେ ଶ୍ରମ ଓ ଅର୍ଥ ଦାନ କରି ଚାଷ କରୁଥିବା ଚାଷୀ କେତେ ପରିମାଣରେ କ୍ଷତିଗସ୍ତ ହେଉଛି ତାହା ବେଶ ବାରି ହେଉଛି । ଅନେକ ସବୁଜ ପରିବା କ୍ଷେତ୍ରରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀ ବିକ୍ରି କରୁଥିବା ପରିବାର ଖାଉଟିଙ୍କ ପାଖରେ ପହଞ୍ଚିବା ବେଳକୁ ୫ ଗୁଣା ବୃଦ୍ଧି ହେଉଥିବା ବେଳେ ଦର ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀ ନିଘୋର ନିଦ୍ରାରେ ଶୋଇଥିବା ଆଲୋଚନା ହେଉଛି । କେବଳ ସରକାରୀ କାଗଜପତ୍ରରେ ଦର ନିୟନ୍ତ୍ରଣ ହେଉଥିବା ବେଳେ ବାସ୍ତବରେ ଚାଷୀ ଏବଂ ଖାଉଟି ଶୋଷଣର ଶୀକାର ହେଉଛନ୍ତି ।