ବୁଢିମା’ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର: ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚାରେ ନୂତନ ଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଦ୍ୟପର୍ବ ଭାବରେ ଆଜି ସକାଳେ ସହରର ଶତାଧିକ ମହିଳାଙ୍କ ଦ୍ୱାରା ଚିତ୍ରୋତ୍ପଳା ମହାନଦୀର ପବିତ୍ର ଜଳ ସ୍ଥାନୀୟ ରାଜାଘାଟରେ ପୂଜାର୍ଚ୍ଚନା କରି କଳସାଧିବାସ , ଜୀବମାତୃକା, ଜଳମାତୃକା,ସ୍ଥଳମାତୃକା, ବଡ଼ବାନଳ ଅଗ୍ନି ଆବାହନ ହୋମ ଇତ୍ୟାଦି ପୂର୍ବକ ଜଳପୂର୍ଣ୍ଣ କଳସ କର୍ତ୍ତା ବି. ଗୌରୀ ଶଙ୍କର ସସ୍ତ୍ରୀକଙ୍କ ଦ୍ୱାରା ଘଣ୍ଟ , ଶଙ୍ଖ, ବାଜା ରୋଷଣୀ ସହ ନଗର ପରିକ୍ରମା ପୂର୍ବକ ନୂତନ ବୁଢିମାଙ୍କର ମନ୍ଦିର ସାମ୍ନାରେ ପ୍ରସ୍ତୁତ ଯଜ୍ଞ ମଣ୍ଡପକୁ ଅଣାଯାଇ ସ୍ଥାପନ କରାଯାଇଥିଲା । ଆଜିଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ ହେବ ।

ଆଜିଠାରୁ ମଣ୍ଡପ ପୂଜାବିଧାନ ଚତୁର୍ଥୀ ଲଗ୍ନେ ଶାଖାମୂର୍ତ୍ତୀ ମହାସ୍ନାନ, ଶୁକ୍ଲପଞ୍ଚମୀରେ ମନ୍ଦିର ଅଧ ଉର୍ଦ୍ଧ୍ୱ ଶୋଧନସହିତ ଦେବ ଦେବ ମହାଦେବ ଲିଙ୍ଗ ଓ ପାର୍ଶ୍ୱଦେବତା ମନ୍ଦିରେ ସ୍ଥାପନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ । ୨୫ତାରିଖ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଗୁରୁବାର ପୂର୍ଣ୍ଣାହୂତି ପୂର୍ବକ ମାଁ ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯୋଗ୍ୟଯେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ନିର୍ମାଣରେ ପ୍ରାୟ ୫୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ମନ୍ଦିର ମାଳିନୀ ସୁବର୍ଣ୍ଣପୁରକୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବ ବୋଲି କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

ଏହି ଅବସରରେ ୨୩ ତାରିଖ ସଂଧ୍ୟାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାୟକଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପରିବେଷଣ ସହ ପ୍ରତିସଂଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ଏବଂ ୨୪ ତାରିଖରୁ ଦୁଇଦିନ ଧରି ଶ୍ରଦ୍ଧାଳୁଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଆଜିର ଏହି କଳସ ଶୋଭାଯାତ୍ରାରେ ମନ୍ଦିର ନିର୍ମାଣ କମିଟିର ସଭାପତି କେ. ସହଦେବ ପାତ୍ର ସଂପାଦକ ଜନ୍ମେଜୟ ପାତ୍ର, ଉପସଭାପତି ବି.ସତ୍ୟନାରାୟଣ ରାଓ, ବୁଢିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର, ବରିଷ୍ଠ ସଭ୍ୟ ଗୋପାଳ ପାତ୍ର, ରାମଚନ୍ଦ୍ର ପାତ୍ର, ଦୟାନିଧି ପାତ୍ର, ଓ ସତ୍ୟନାରାୟଣ ପାତ୍ର, ଗୋବିନ୍ଦ ପାତ୍ର, ଭାସ୍କର ରାଓ, ନିଳକଣ୍ଠ ପାତ୍ର, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଆନନ୍ଦ ପାତ୍ର, ସୁଦର୍ଶନ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର, ସ୍ୱରୂପ ପାତ୍ର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଓ କାଉନସିଲର ରାଜକିଶୋର ରାଓଙ୍କ ସମେତ ପଡାର ଶତାଧିକ ମହିଳାଙ୍କ ସହ ସମସ୍ତ ଯୁବ ସଦସ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment