ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ; ପ୍ରସବ କଲେ ମହିଳା, ଆଖି ବୁଜିଲା ନବଜାତ

ଫୁଲବାଣୀ : ପୁଣି କନ୍ଧମାଳ ଜିଲ୍ଲାରୁ ଆସିଛି ଜନନୀ ଯନ୍ତ୍ରଣା ଭଳି ଖବର । ସୂଚନା ଅନୁଯାୟୀ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ପ୍ରାୟ ୬/୭ କି.ମି ବହୁ କଷ୍ଟରେ ନେଇଥିଲେ । ଯେତେବେଳେ ତାଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିଥିଲା, ସେହି ସମୟରେ ମହିଳାଙ୍କ ପ୍ରସବ ହୋଇଯାଇଥିଲା । ଦୁର୍ଭାଗ୍ୟର ବିଷୟ ଯେ, ମହିଳାଙ୍କ ପ୍ରସବ ହେଲା ସତ କିନ୍ତୁ ନବଜାତକ ଶିଶୁଟି ବଞ୍ଚି ପାରିନଥିଲା । ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆ ଗାଁ ଭାବେ ପରିଚିତ ନୀଳିଙ୍ଗାପଦର । ଗ୍ରାମର କୁଟିଆ ଜନଜାତିର ମହିଳା ଚୂନକି ପାଚକଙ୍କ ଯେତେବେଳେ ପ୍ରସବ ଯନ୍ତ୍ରଣା ହେଲା ସେତେବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଲେ ।ଆମ୍ବୁଲାନ୍ସ ଆସିଲା ହେଲେ ଗାଁରେ ପହଞ୍ଚିପାରିଲାନି ରାସ୍ତା ସାଜିଲା ବାଧକ । ଫଳରେ ସମ୍ପର୍କୀୟ ମାନେ ମିଶି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ଆଉ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗର୍ଭବତୀଙ୍କୁ ଆଣିଲେ ଆଉ ପ୍ରସବ ପରେ ମା ବଞ୍ଚିଯାଇଛି ସତ କିନ୍ତୁ ନବଜାତକର ମୃତ୍ୟୁ ହୋଇଯାଇଥିଲା । ଗାଁକୁ ପକ୍କା ରାସ୍ତା ଟିଏ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଉଛୁ, ଭୋଟ ବେଳେ ନେତା ମନ୍ତ୍ରୀଙ୍କ ୁବି ଜଣାଇଥିଲୁ ହେଲେ ଫଳ ଶୂନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ଏହି ଗୋଟିଏ ଗାଁ ନୁହେଁ ଜିଲ୍ଲାରେ ୧ ହଜାରରୁ ଉଦ୍ଧ୍ୱର୍ ଗ୍ରାମକୁ ରାସ୍ତା ନାହିଁ । ଫଳରେ ପ୍ରତିବର୍ଷ ଜିଲ୍ଲାରେ ଅନେକ ଗର୍ଭବତୀ ଆଉ ନବଜାତକଙ୍କ ମୃତ୍ୟୁ ଘଟୁଛି ଯାହାକି ଉଦବେଗର ବିଷୟ । ତେବେ ଖବର ପାଇବାର ୧୦ ମିନଟ ମଧ୍ୟରେ ଆମ୍ବୁଲାନ୍ସ ଅର୍ଥାତ୍‌ ଠିକ ସମୟରେ ପଠାଯାଇଥିବା ବିପିଏମ କହିଛନ୍ତି । ଗତ ପନ୍ଦର ଦିନ ହେଲା ଆଶାକର୍ମୀ ମାନେ ଆନ୍ଦୋଳନ କରୁଥିବାରୁ ଠିକ ସମୟରେ ସେବା ପାଉନାହାଁନ୍ତି ଗର୍ଭବତୀ ମହିଳାମାନେ । ଏ ଦିଗରେ ସରକାର ଧ୍ୟାନ ଦେବା ଜରୁରୀ ବୋଲି ଗ୍ରାମବାସୀ କହିଛନ୍ତି ।

Comments (0)
Add Comment