ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ସହକାରୀ ଶିକ୍ଷକ ତିର୍ଥବାସୀ ଘଡ଼ାଇଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଘନଶ୍ୟାମ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର ଯୋଗଦେଇଥିବା ବେଳେ ସାମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା, ରାଜକିଶୋର ସାହୁ, ହରିଶ୍ଚନ୍ଦ୍ର ପ୍ରଧାନ, ଡମ୍ବୁରୁଧର ଡିଗାଲ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ପ୍ରସାଦ ଲେଙ୍କା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ବିଶେଷତ୍ୱ ବିଷୟରେ ବୁଝାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହିତ ଯେଉଁ ଶିଶୁ ଭଲ ପଦର୍ଶନ କରିବେ ବ୍ଲକ ପ୍ରଶାସନ ତରଫରୁ ପୁରସ୍କୃତ କରାଯିବ ଓ ବିଦ୍ୟାଳୟ ଭିତ୍ତିଭୂମିକୁ ଉନ୍ନତି ପାଇଁ ପ୍ରତିଶୃତି ଦେଇଥିଲେ । ଏହି ବିଦ୍ୟାଳୟର ରେଜଲ୍ଟ ବହୁତ ଭଲ ବୋଲି ମୁଖ୍ୟବକ୍ତା ମତ ରଖିଥିଲେ । ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅମ୍ବିକା ବିଭାର, ପ୍ରଭାସିନୀ ଡିଗାଲ ତାରାବତୀ ପ୍ରଧାନ ଓ ସେବତୀ ମଲ୍ଲିକଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରକାଶ ଚନ୍ଦ୍ର ବେହେରା, ହେମନ୍ତ କୁମାର ପାତ୍ର, ସତ୍ୟଜିତ ମହାପାତ୍ର ଓ ଜୟଦେବ ପ୍ରଧାନ ସହଯୋଗ କରିଥିଲେ । ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଥର ବାର୍ଷିକ ଉତ୍ସବ ପାଳନ କରାଯାଇଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅନ୍ତେବାସୀ ଓ ଅଭିଭାବକଙ୍କ ମଧ୍ୟରେ ବେସ୍ ଉତ୍ସାହ ଦେଖାଦେଇଥିଲା ।