ଆଜି ଶ୍ରୀମନ୍ଦିରରେ ଖସାପଡା ନୀତି, ସଂଧ୍ୟା ୫ଟାରୁ ୧୦ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପାଳନ ହୁଏ ବାର ମାସରେ ୧୩ ପର୍ବ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭିତରେ ଖସାପଡ଼ା ନୀତି ଏକ ସ୍ୱତନ୍ତ୍ର ନୀତି । ଏହା ଏକ ଗୁପ୍ତ ସେବା ହେଇଥିବାରୁ ଏହି ନୀତି ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ । ଏଣୁ ଖସାପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ । ଏହା ଦଇତାପତି ସେବାୟତମାନଙ୍କର ଗୋଷ୍ଠୀଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ତାପରେ ଦିଅଁମାନେ ହୋଲି ଖେଳିଲା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ ।
ଏହି ନୀତି ପାଇଁ ପୂର୍ବ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇଥାଆନ୍ତି ଗାରଦରେ ଜମା ଦେଇଥାନ୍ତି । ଶୁଦ୍ଧ ସୁଆର ଖଳି କଇଁଥ ଅଠା ଯୋଗାଇଥାନ୍ତି । ଆଜି ମଧ୍ୟାହ୍ନ ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ହେବ । ବେହେରାଣ ଦ୍ୱାର ଦେଇ ପାଳିଆ ଦଇତାପତିମାନେ ଗର୍ଭ ଗୃହକୁ ପ୍ରବେଶ କରିବେ । ଏହାପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପୂର୍ଣ୍ଣ କରିବେ । ଧଳାକନା ଖଳି ଓ କଇଂଥ ଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସଜେଇବେ । ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ ତେଣୁ ରାତି ୧୦ଟାରେ ଏହି ନୀତି ଶେଷ ହେବ ବୋଲି ନୀତି ଧାର୍ଯ୍ୟ କରାଯାଇଛି । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ଏହା ନୀତି ଶେଷ ପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥାଏ ।

Comments (0)
Add Comment