ଦଶପଲ୍ଲା :୭୨ ତମ ଗୋ-ସମ୍ବର୍ଦ୍ଧନା ସମାରୋହ ଏବଂ ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ତା ୧୯-୧୧-୨୦୨୩ ରିଖରେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଜାନିସାହି ଠାରେ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ନୟାଗଡ ଡାଃ. ପ୍ରଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲର ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାର ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ପ୍ରଧାନ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଅନୁପମା ବେହେରା, ଜାନିସାହି ସରପଞ୍ଚ ବରୁଣ ପାତ୍ର, ସମିତି ସଭ୍ୟ ଧ୍ରୁବ ଚରଣ ପ୍ରଧାନ ଏବଂ ଦଶପଲ୍ଲ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ । ପ୍ରଥମେ ଗୋ-ପୂଜନ କରାଯିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥୁରେ ମଞ୍ଚାସୀନ ଅତିଥି ମାନେ ଗୋ-ସମ୍ବର୍ଦ୍ଧନାର ମାହାତ୍ମ୍ୟ ତଥା ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ । ଏଥିସହିତ ଏକ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଭାପୁର, ଖଣ୍ଡପଡା, ଋଣପୁର ଏବଂ ନୟାଗଡଠାରେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଉର୍ଦ୍ଧ୍ୱ ଚାଷୀ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀମାନେ ଯୋଗ ଦେଇ ସଭା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଗୋ-ପ୍ରଦର୍ଶନୀ ତଥା ଗୋ-ବସ୍ତ୍ରା ପ୍ରଦର୍ଶନୀରେ ଭାଗ ନେଇଥିବା ଗୋପାଳକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାଃ, ବିଭୁ ପ୍ରସାଦ ଶତପଥୁ ମଞ୍ଚ ପରିଚାଳନା କରିଥିଲେ ଏବଂ ଡଃ. ସୌମ୍ୟଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦଶପଲ୍ଲାର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ସୌମ୍ୟଜିତ ରାଉତ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାଃ, ସିଦ୍ଧାନ୍ତ ଶେଖର ସାହୁ ତଥା ପ୍ରାଣୀ ଚିକିତ୍ସକ, ବାଣୀଗୋଛା ଡାଃ, ସିକିତା ଗୌଡ ସଭା ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଗିରିଗୋବର୍ଦ୍ଧନ ପୂଜା ଠାରୁ ଗୋପାଷ୍ଟମୀ ପର୍ଯନ୍ତ ଗୋସମ୍ବର୍ଦ୍ଧନା ସପ୍ତାହ ରୂପେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଭିନ୍ନ ସ୍ତରରେ ପାଳିତ ହୋଇଥାଏ ।