ପୁରୀ : ୧୦୭ତମ ବିଜୁ ଜୟନ୍ତୀ ଅବସରରେ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମାବେଶରେ ପ୍ରାକ୍ତନ ନଗରପାଳ ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଶାନ୍ତିଲତା ପ୍ରଧାନ ଅଧ୍ୟକ୍ଷତା କରି ମହିଳା ମାନେ ସଶକ୍ତ ହେବା ସହ ବିଜେଡିର କାର୍ଯ୍ୟ ଧାରାକୁ ସହର ଓ ଗାଁ ଗାଁରେ ମହିଳା ମାନଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ପ୍ରାକ୍ତନ ମନ୍ତ୍ରୀ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ମହେଶ୍ୱର ମହାନ୍ତି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବିଜୁବାବୁଙ୍କୁ ଛାଡ଼ି ମହିଳା ସଶକ୍ତିକରଣ କଥା ଚିନ୍ତା କରାଯାଇପାରେନା । ମହିଳାଙ୍କୁ ସଶକ୍ତ କରିବାରେ ତାଙ୍କର ଉଦ୍ୟମ ପ୍ରଶଂସନିଆ । ନବୀନବାବୁ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ପାରିଛନ୍ତି ।ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇଛି । ପାର୍ଲାମେଣ୍ଟରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇ ନବୀନ ସରକାର ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ମହିଳା ମାନେ ସଶକ୍ତ ହେଲେ ରାଜ୍ୟର ପ୍ରଗତି ସମ୍ଭବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସମାବେଶରେ ନଗର ବିଜୁ ମହିଳା ଜନତା ଦଳ ସଭାପତି ବିନୋଦିନୀ ଦାସ, ନଗର ବିଜୁ ଜନତା ଦଳ ସଭାପତି ସବ୍ୟସାଚୀ ମହାପାତ୍ର, ପ୍ରାକ୍ତନ ପୌର ସଦସ୍ୟ ବଳରାମ ରେଡ୍ଡୀ, ଭକ୍ତ ଚରଣ ଦାସ, କୃଷ୍ଣ ଚନ୍ଦ୍ର ପଣ୍ଡା,ନାରାୟଣ ପଟ୍ଟନାୟକ, ପୁଷ୍ପାଞ୍ଜଳି ରଣା ପ୍ରମୁଖ ମଞ୍ଚାସିନ ଥିଲେ ।