ଘୁ ଉଦୟଗିରି: ଗତକାଲି ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପୋଡି ପଞ୍ଚାୟତ ଅନ୍ତର୍ଗତ ବତୀଙ୍ଗିଆ ତିଡିନାଯୁର ଶରତ ନାୟକଙ୍କ ପୁତ୍ର କଣ୍ଟେଶ୍ୱର୍ ନାୟକ (୫୨) ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ବାହାରେ ନିଜ ଡ୍ରେସ୍ ଓ ଜୋତା ଖୋଲି ରଖିଥିଲେ ଓ ଗାଧେଇବା ପାଇଁ ପାଣି ଭିତରକୁ ଯାଇଥିଲେ । ପୋଖରୀରେ ଗଭୀର ପାଣି ରହିଥିବା ବେଳେ ଅସାବଧାନତା ପାଇଁ ମୃତ୍ୟୁ ହୋଇଥାଇ ପାରେ କୁହାଯାଉଛି । ତେବେ ଘଟଣା ସମ୍ପର୍କରେ କୌଣସି କାରଣରୁ ଲୋକେ ଜାଣିଲା ପରେ ଅପରାହ୍ନ ୪ ଟା ବେଳକୁ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ଅଧିକାରୀ ମନରଞ୍ଜନ ପାଢୀଙ୍କ ନେତୃତ୍ୱରେ ଦଳ ପହଞ୍ଚିଥିଲା ଓ ପାଣିରେ ବୁଡି ଅକ୍ଲାନ୍ତ ପରିଶ୍ରମ କରି ଖୋଜିଥିଲେ । ପରେ ସ୍ଥାନୀୟ ପୋଲିସ ଥାନା ଅଧିକାରୀ ଅଜୟ କୁମାର୍ ସ୍ୱାଇଁଙ୍କ ନେତୃତ୍ୱରେ ଓ ୧୦୮ ଆମ୍ବୁଲାନ୍ସ ଟିମ୍ ବିଶ୍ୱଜିତ୍ ମୁଖିଙ୍କ ନେତୃତ୍ୱରେ ଟିମ୍ ମଧ୍ୟ ପହଞ୍ଚିଥିଲେ । ଦୀର୍ଘ ୨ ଘଣ୍ଟାରୁ ଅଧିକ ଅକ୍ଲାନ୍ତ ପରିଶ୍ରମ କରି ଖୋଜିବା ପରେ ଯେଉଁ ସ୍ଥାନରେ ଗାଧେଇବା ପାଇଁ ଯାଇଥିଲେ ସେହି ସ୍ଥାନରୁ କିଛି ଦୂରରେ ଉକ୍ତ ବ୍ୟକ୍ତି ବୁଡ଼ିଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ ଓ ବାହାରକୁ ଆଣିଥିଲେ । ପରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ଓ ଶବ ସଂରକ୍ଷଣ ଗୃହରେ ରଖିଥିଲେ ଓ ଆଜି ଶବ ବ୍ୟବଚ୍ଛେଦ କରିଥିଲେ ।
ସ୍ଥାନୀୟ ପୋଲିସ ୮/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି ।