ଭୁବନେଶ୍ୱର : ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ, ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି । ସେ ଥିଲେ ସାଧାରଣ ଲୋକର ବନ୍ଧୁ ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ ।
ସାଂସଦ, ବିଧାୟକ, ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟିର ଚେୟାରମ୍ୟାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି । ତାଙ୍କର ନିଃସ୍ୱାର୍ଥପର ସେବା ପାଇଁ ସ୍ୱର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ୱର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।