ନବରଙ୍ଗପୁର:- ଓଡ଼ିଶା ସରକାରଙ୍କ ମିଶନଶକ୍ତି ବିଭାଗର ମୁଖ୍ୟ ସୁଜାତା କାର୍ତ୍ତିକେୟାନଙ୍କ ନିର୍ଦ୍ଦେଶ କ୍ରମେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ବିଶେଷ କରି ସ୍ୱୟଂ ସହାୟକ ଦଳର ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗାଁର ମାଁ ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଟିକୁ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ଆର୍ଥୀକ ସହାୟତା ପାଇଁ ୨୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି ।
ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ପିଏମଏଫଏମଇ ଯୋଜନାରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୂଳା ଗାଁର ମାଁ ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରାଯାଇଥିଲା । ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏସବିଆଇ ଖାତିଗୁଡା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ଉନ୍ନତ ମାନର ଛତୁଆ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଛତୁଆ ପ୍ରସ୍ତୁତି କେନ୍ଦ୍ର ଉନ୍ନତିକରଣ ତଥା ମହିଳା ମାନଙ୍କ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର କୋଡ଼ିଏ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି । ଋଣ ଅର୍ଥର ସଦୁପଯୋଗ କରି ନିଜେ ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ ପ୍ରେରଣାଦାୟକ ହେବା ନେଇ ଜିଲ୍ଲାପାଳ ଡ଼ଃ ମିଶ୍ର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସୁନିଲ କୁମାର ଜମୁଡ଼ା, ଏସବିଆଇ ମ୍ୟାନଜର ପ୍ରବନ୍ଧକ ରଶ୍ମିରଞ୍ଜନ ରାଉତ, ଖାତିଗୁଡା ଶାଖା ପରିଚାଳକ ସୁଦ୍ଧିତ୍ୱ ପ୍ରଧାନ, କ୍ଷେତ୍ରଧିକାରୀ ଅଭିନାସ ମହାନ୍ତି, ନିର୍ଦ୍ଦେଶକ ଏସବିଆଇ ସୁନାରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଖୁସିବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲାପାଳ ଏବଂ ବ୍ୟାଙ୍କ୍ ର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।