ପବିତ୍ର ବଡ଼ଓଷାରେ ଜଳିଲା ୩୦ ହଜାର ଦୀପ

ଦଶପଲ୍ଲା : ପବିତ୍ର କାର୍ତ୍ତିକ ବଡ଼ଓଷା ସନ୍ଧ୍ୟାରେ ବାଣୀଗୋଛାର ପ୍ରଶିଦ୍ଧ ଶୈବ ପୀଠ ବାବା ଯୋଗେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ ମହୋତ୍ସବ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ଅନ୍ୟୁନ ଛଅ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଥିବା ବେଳେ ଭକ୍ତ ମାନଙ୍କ ଦ୍ୱରା ତିରିଶ ହଜାର ଦୀପ ପ୍ରଜ୍ୱଳିତ ହୋଇଥିଲା । ଆଠ ଗୋଟି ଆଦିବାସୀ ବହୁଳ ପଞ୍ଚାୟତ ଓ ସାତପଲ୍ଲୀର ସାମୂହିକ ଭାବନା ସହିତ ଜଡିତ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ଯୋଗ ଦେଇଥାନ୍ତି । ବିଭିନ୍ନ ଗ୍ରାମରୁ ଆସିଥିବା ନଦିଆ ସଙ୍କୀର୍ତ୍ତନମାନଙ୍କ ସମ୍ମିଳିତ ନାମ କୀର୍ତ୍ତନ ପରିସରକୁ ଅଧିକ ଭକ୍ତିମୟ କରିଥିବା ବେଳେ ଆନନ୍ଦ ବଜାରରେ ନୀରବଚ୍ଛିନ୍ନ ଅନ୍ନକୂଟ ଯଜ୍ଞ ଜାରୀ ରହିଥିଲା । ବିଳମ୍ବିତ ସଂଧ୍ୟାରେ ଦୀପଦାନ ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଶ୍ରୀହରି ନାୟକ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ଆଧ୍ୟାତ୍ମିକ ଓ ସାରସ୍ୱତ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଆକର୍ଷଣୀୟ କରିବା ନିମନ୍ତେ ସବୁଦିନିଆ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସସ୍ମିତା ମହାକୁଡ ବାବା ଯୋଗେଶ୍ୱର ପୀଠର ଉନ୍ନତି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ରଞ୍ଜନ ସାହୁ, ପପୁ ପ୍ରସାଦ, ସଂଜିତ୍‌ (ଜିତୁ) କରଣ , ସମୀର ସୁକାନ୍ତ ଏହାର ସଫଳ ସଂଯୋଜନା କରିଥିଲେ ଓ ନୟାଗଡ ଭାଟସାହି ଗ୍ରାମର ଚର୍ଚ୍ଚିତ ନାରଦ,ପପୁ ବିଶ୍ୱାଳଙ୍କ ଭଜନ ସମାରୋହ ଓ ପୌରାଣିକ ନାଟକକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।

Comments (0)
Add Comment