ସମ୍ବଲପୁର : ଓଡିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି ) କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏହି ଲକ୍ଷ୍ୟ କିପରି ଜିଲ୍ଳା ସ୍ତରରୁ ହାସଲ କରାଯାଇ ପାରିବ ସେଥିପାଇଁ ସମ୍ବଲପୁର ଜିଲ୍ଲାରେ ଏକ ଜିଲ୍ଳା ସ୍ତରୀୟ କର୍ମଶାଳା ଉଦଘାଟିତ ହେଇଯାଇଛି । ସମ୍ବଲପୁର ଜିଲ୍ଲା ପ୍ରଶାସନ ସହିତ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ମିଳିତ ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲାପାଳ ଅନନ୍ୟା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ନିଜ ପାଖରେ ଥିବା ସମ୍ବଳକୁ ଉପଯୋଗ କରି ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ୧୭ ଟି ଲକ୍ଷ୍ୟ ସମ୍ପର୍କରେ ୨୦୧୫ ମସିହା ସେପ୍ଟେମ୍ବର ୨୫ ତାରିଖରେ ଜାତିସଂଘ ତରଫରୁ ଘୋଷଣା କରାଯାଇଥିଲା । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଏଜେଣ୍ଡାରେ ରାଜ୍ୟରୁ ଦାରିଦ୍ର ସମ୍ପୂର୍ଣ ଦୂରୀକରଣ ଓ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରି କ୍ଷୁଦାମୁକ୍ତ ରାଜ୍ୟ ଗଠନ କରିବା, ସମସ୍ତଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗେଇ ଦେବା, ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇବା, ଲିଙ୍ଗଗତ ଅସାମନତା ଦୂର କରିବା, ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା, ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବର ମୁକାବିଲା କରିବା ପାଇଁ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର ଉପରେ କର୍ମ ଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା । ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଦିନ ତାଲିମଦାତାମାନେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଠିକ ତଥ୍ୟ ଅନୁଯାୟୀ ତୃଣମୂଳ ସ୍ତରରୁ ଯାଇ ସରକାରଙ୍କ ଯୋଜନା ସଫଳ ରୂପାୟନ ପୂର୍ବକ ଜାତିସଂଘ ଦ୍ୱାରା ସ୍ଥିରୀକୃତ ଉପରୋକ୍ତ ୧୭ ଟି ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ପଂଚାୟତ ସ୍ତରରୁ ପରେ ବ୍ଲକ ଏବଂ ଜିଲ୍ଳା ସ୍ତରରେ ଯୋଜନାର ସଫଳ ରୂପାୟନ ହୋଇପାରିଲେ ରାଜ୍ୟ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିପାରିବ ବୋଲି ତାଲିମଦାତା ମାନେ ମତ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣକୁ ମଧ୍ୟ ସମାନ ଗୁରୁତ୍ୱ ଦେଲେ ଏହି ୧୭ଟି ଲକ୍ଷ୍ୟ ନିଶ୍ଚିତ ସାଧନ ହୋଇପାରିବ ବୋଲି ସମସ୍ତ ତାଲିମଦାତା ମତ ଦେଇଛନ୍ତି । ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ନିରନ୍ତର ଭାବେ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଲେ ଏବଂ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଲେ ଏହି ଦୀର୍ଘସ୍ଥାୟୀ ବିକାଶ ନିଶ୍ଚିତ ସମ୍ଭବ ହେବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହାକୁ ସମାଧାନ କରିବା ସହ ସେହି ଅଞ୍ଚଳର ସମ୍ବଳକୁ ଉପଯୋଗ କରି କାର୍ଯ୍ୟରେ ଲଗେଇଲେ ଏକ ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି । ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବଳ, ଆଇଏଏସ ପ୍ରବେଶନ ରିହାନ ଖତ୍ରୀ, ରାଜ୍ୟ ଯୋଜନା ଓ ସଂଯୋଜକ ବିଭାଗର ସହକାରୀ ନିର୍ଦ୍ଦେଶିକା ଅର୍ଚ୍ଚିତା ଦାସ ଏବଂ ଉପାସନା ମହାପାତ୍ର, ଜିଲ୍ଳା ଯୋଜନା ଓ ସଂଯୋଜନା ବିଭାଗର ଭାରପ୍ରାପ୍ତ ଉପର୍ନିେଶକ ଦେବାଶିଷ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।