ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ ଚଳିତ ଖରିଫ ଋତୁରେ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟର ଅବ୍ୟବସ୍ଥାକୁ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଜେପି କର୍ମୀ ସହ ଶତାଧିକ ଚାଷୀ ବିଜେପି କାର୍ଯ୍ୟାଳୟ ଖମାର ପରିସରରେ ଏକତ୍ରିତ ହୋଇଥିଲେ । ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଙ୍କ ନେତୃତ୍ୱରେ ସେଠାରୁ ଏକ ଶୋଭାଯାତ୍ରାରେ ବାହିରି ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଫିସ ସମ୍ମୁଖରେ ପ୍ରଦର୍ଶନ ସହ ନାରାବାଜି ଦେଇଥିଲେ । ପରେ ଉପଜିଲ୍ଲାପାଳ ବିଜୟନନ୍ଦ ସେଠିଙ୍କୁ ଏକ ୧୦ ଦଫା ସମ୍ମିଳିତ ଦାବି ପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବି ଗୁଡିକ ମଧ୍ୟରେ ପଶ୍ଚିମ ଓଡ଼ିଶା ସହ ପାଟଣାଗଡ ଉପଖଣ୍ଡରେ ଥିବା ମଣ୍ଡି ଗୁଡ଼ିକୁ ଠିକ ଭାବରେ ପରିଚାଳିତ ହୋଇପାରୁ ନଥିବାରୁ ଚାଷୀମାନେ ନାନା ପ୍ରକାର ଅସୁବିଧା ସମ୍ମୁଖିନ ହେଉଛନ୍ତି । ଚାଷୀଙ୍କ ବିରୋଧ ସତ୍ତେ୍ୱ ମିଲମାଲିକ ମାନେ ମନଇଚ୍ଛା ଧାନ କଟିନ ଛଟନି କରିଚାଳିଛନ୍ତି । ସେଟ୍ରେଲା ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣା ନୀତି ବନ୍ଦ କରାଯାଉ । ବସ୍ତା ଓ ସତୁଲିର ପଇସା ସହ ମୁଖ୍ୟମନ୍ତ୍ରୀ ୨୦୧୬ ରେ ଘୋଷଣା କରିଥିବା କ୍ୟୁଣ୍ଟାଲ ପିଛା ଶହେ ଟଙ୍କା ବୋନସ ତୁରନ୍ତ ଚଳିତ ସିଜନ୍ରୁ ଦିଆଯାଉ । ଆଗାମୀ ସାତଦିନ ମଧ୍ୟରେ ଏହି ସବୁଦାବି ଗୁଡ଼ିକ ରାଜ୍ୟ ସରକାର ସମାଧାନ ନ କଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଭାପତି ଶ୍ରୀ ସାଏ ଚେତାବନୀ ଦେଇଛନ୍ତି । ଏହି ଘେରାଉରେ ସୁଶାନ୍ତ ମହାନ୍ତି, ପ୍ରଶାନ୍ତ ଦାସ ,ନୀଳ ପାଣିଗ୍ରାହି, ଜ୍ଞାନ ପଟେଲ, ଶୋଭା କର ମେହେର ,ବଲ୍ଲଭ ଧରୁଆ ସହ ଶତିଧିକ ଚାଷୀ ଓ ବିଜେପୀ କର୍ମୀ ଯୋଗଦେଇଥିଲେ ।