ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଅଞ୍ଚଳବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରେଳ ଲାଇନ୍ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ରେଳ ଲାଇନ୍ ସଂପୂର୍ଣ୍ଣ ନିର୍ମାଣ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ସଂଘର୍ଷ ସମିତି ଦାବି କରିଛି । ସୋନପୁରର ଜନ ସାଧାରଣଙ୍କ ସହ ବଲାଙ୍ଗିରରୁ ଆସିଥିବା ପ୍ରତିନିଧି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ହୋଟେଲ ଗ୍ରୀନପାର୍କର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସଂଗଠନର ନେତୃବୃନ୍ଦ ଯୋଗ ଦେଇ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ମତ ରଖିଥିଲେ । ଆମର ହକ ପାଇଁ ବଲାଙ୍ଗିର, ସୋନପୁର ଓ ବୌଦ୍ଧର ଜନସାଧାରଣଙ୍କୁ ଲଢେଇ କରିବାକୁ ପଡିବ ବୋଲି ବୈଠକରେ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀ କହିଥିଲେ । ପୂର୍ବରୁ ସିଣ୍ଡୋଲ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ଭଳି ସୋନପୁରରେ ବହୁ ଆନ୍ଦୋଳନ ସଂଗଠିତ ହୋଇଥିବାରୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ସୋନପୁର ହିଁ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହେବ ବୋଲି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଥିଲେ । ଏହି ପ୍ରକଳ୍ପ କାମ କେବେ ସରିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ବଲାଙ୍ଗିରର ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ଶତପଥୀ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିରର ଗୋପଭୂଷଣ ନାଥ, ବିନୋଦ କାଲସାଏ, ମୁନା ପଟ୍ଟନାୟକ ଏବଂ ରବି ଖମାରୀ ପ୍ରମୁଖ ଯୋଗ ଦେଇଥିଲେ । ସୋନପୁରର ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ର, ବଳଦେବ ପ୍ରସାଦ ବେଦବାକ ଯୋଗଦେଇ ଆନ୍ଦୋଳନକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦେବରଞ୍ଜନ ତ୍ରିପାଠୀ, ଅରବିନ୍ଦ ବାରିକ, ସୁରେଶ ପାତ୍ର, ସୁବ୍ରତ ସେଠୀ, ଶିବଶଙ୍କର ନାଏକ, ଜଗନ୍ନାଥ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।