ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତ୍ର ହରିଶଙ୍କରଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କରଠାରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବିରେ ସୋମବାର ଜଳ ସତ୍ୟାଗ୍ରହ କରିଛନ୍ତି । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଆବାହକ ସୁଶୀଳ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ସୁବାଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପ୍ରଥମେ ପାଟଣାଗଡ଼ ଠାରେ ଏକତ୍ରିତ ହୋଇ ଏକ ମୋଟର ସାଇକେଲରେ ରେଲିରେ ଆସି ହରିଶଙ୍କର ଠାରେ ପହଞ୍ଚିଥିଲେ । ହରିଶଙ୍କର ବାବାଙ୍କ ଫଟୋ ଚିତ୍ରରେ ପୂଜାପାଠ ସହ ଦିନ ୧୨ଟା ରେ ପାପନାସିନୀ ଝରଣାରେ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ପୂର୍ବରୁ ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ହେବ ବୋଲି ଶୁଣା ଯାଉଥିବା ବେଳେ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୦ଟି ପର୍ଯ୍ୟଟନ ସ୍ଥଳିରେ ରୋପୱେ ନିର୍ମାଣ ଘୋଷଣା ହୋଇଥିଲେ ବି ହରିଶଙ୍କର ଓ ନୃସିଂହନାଥକୁ ରୋପୱେରେ ସ୍ଥାନ ପାଇ ନ ଥିବାରୁ ଆନ୍ଦୋଳନକାରୀମାନେ କ୍ଷୋଭ ପ୍ରକାଶ କରିବା ସହ ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ସୁଶୀଳ ଗୁରୁ , ଡିଙ୍ଗର କୁମ୍ଭାର, ରବୀନ୍ଦ୍ର ମେହେର, ଚିନ୍ମୟ ସାହୁ, ନାରାୟଣ ମେହେର, ଆଲୋକ ବୁଡେକ୍‌, ଗୋବିନ୍ଦ ମେହେର ପ୍ରମୁଖ ପାପନାସିନୀ ଝରଣାରେ ଜଳ ସତ୍ୟାଗ୍ରହ କରିଥିଲେ । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଶତାଧିକ ସମର୍ଥକ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କେର୍କେଟାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଉପସ୍ଥିତ ଥିବା ବେଳେ ଖବର ଲେଖା ହେବା ଯାଏଁ ଜଳ ସତ୍ୟାଗ୍ରହ ଜାରି ରହିଥିଲା ।

Comments (0)
Add Comment