ସୁବଳୟା ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ କରାଇଲା ପୋଲିସ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଥାନା ପରିସରରେ ଏକ ପ୍ରେମୀ ଯୁଗଳଙ୍କ ବିବାହ କରିଛି ପୋଲିସ । ଉଭୟ ପ୍ରେମ ଯୁଗଳ ପରସ୍ପରକୁ ଫୁଲମାଳ ଦେଇ ଥାନା ଅଧିକାରୀ, ଅନ୍ୟାନ୍ୟ ପୋଲିସ ଓ ସେମାନଙ୍କ ପରିବରର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଛନ୍ତି । ବିବାହ କରିଥିବା ପ୍ରେମୀ ଯୁଗଳ ହେଉଛନ୍ତି ସମ୍ପର୍କରେ ଦିଅର-ଭାଉଜ । ସୂଚନାମତେ ଅନୁଗୁଳ ଜିଲା ସାମସିଙ୍ଗା ଗ୍ରାମର ଝିଲି ପ୍ରଧାନ(୨୨)ଙ୍କ ତିନି ବର୍ଷ ପୂର୍ବରୁ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗ୍ରାମର ମାଧବ ପ୍ରଧାନଙ୍କ ସହିତ ବୈଦିକ ରିତିରେ ବିବାହ ହୋଇଥିଲା । ଇତି ମଧ୍ୟରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗ୍ରାମର ପରେମେଶ୍ୱର ପ୍ରଧାନ (୨୩)ତାଙ୍କ ମାଉସି ପୁଅ ଭାଇ ମାଧବଙ୍କ ଘରକୁ ଯିବା ଆସିବା କରିବା ଭିତରେ ଭାଉଜ ଝିଲି ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମସମ୍ପର୍କ ବଢିଯିବାରୁ ଉଭୟ ଦିଅର ଭାଉଜ ଗତ ସପ୍ତାହେ ପୂର୍ବରୁ ଘରୁ ପଳାଇ ଯାଇଥିଲେ । ପରିବାର ଲୋକେ ଉଭୟଙ୍କୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ସୁବଲୟା ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥନାରେ ଖୋଜାଖୋଜି କରି ଗତ ଗୁରୁବାର ଉଭୟ ପ୍ରମୀ ଯୁଗଳଙ୍କୁ ଉଦ୍ଧାର କରି ଥାନା କୁ ଆଣିଥିଲା । ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି କହିଥିଲେ । ପରେ ଥାନା ପରିସରରେ ଝିଅର ବାପା ଘର ଓ ଶଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ୱରଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା । ବିବାହ ସମୟରେ ସୁବଳୟା ଥାନା ଅଧିକାରି ସୁଶାନ୍ତ କୁମାର ପ୍ରଧାନ,ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ସମେତ ତିନି ପରିବାରର ସଦସ୍ୟ ଉପସ୍ଥିତ ଥିଲେ । ଉକ୍ତ ଘଟଣାଟି ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Comments (0)
Add Comment