ବକେୟା ଟଙ୍କା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ,୩ ଗିରଫ

ଗଞ୍ଜାମ/ବ୍ରହ୍ମପୁର: ବକେୟା ଟଙ୍କା ଫେରସ୍ତ କରିବାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ଖାଜା ସାହିର ଏସକେ ମାକସୁଦ୍‌ ଓରଫ ମିଟୁ, ପାତ୍ରପେଟା ସାହିର ଜାକିର୍‌ ମଣ୍ଡଳ ଓ ସଲାମ ମଣ୍ଡଳ । ସୂଚନାଯୋଗ୍ୟ ଯେ, ଅଭିଯୋଗକରୀ ତଥା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ଶତ୍ରୁଘ୍ନ ଜେନା ଏବଂ ଅଭିଯୁକ୍ତ ମିଟୁ ମିଳିତ ଭାବେ ପୋଡାମାରି ଗ୍ରାମ ପଞ୍ଚାୟତରେ ପାର୍କ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ । କାମ ସରିବା ପରେ ଶତ୍ରୁଘ୍ନ ମିଟୁଙ୍କୁ ୧ ଲକ୍ଷ ଦେବାକୁ ବାକି ରହିଥିଲେ । ଅଭିଯୁକ୍ତ ମିଟୁ ଅଭିଯୋଗକାରୀ ଶତ୍ରୁଘ୍ନଙ୍କୁ ବକେୟା ଏକ ଲକ୍ଷ ଟଙ୍କା ବହୁ ବାର ମାଗିଥିଲେ । ମିଟୁ ବାରମ୍ବାର ଟଙ୍କା ମାଗିବାରୁ ଶତ୍ରୁଘ୍ନ ଏଥି ନିମନ୍ତେ ତାଙ୍କୁ ଏକ ଚେକ ଦେଇଥିବା ବେଳେ ବରବର୍ତ୍ତୀ ସମୟରେ ତାହା ବାଉନ୍ସ ହୋଇଯାଇଥିଲା । ଘଟଣାକୁ ନେଇ ମିଟୁ ପାଟାପୁର ଥାନାରେ ଅଭିଯୋଗ କରିଥିଲେ । ମିଟୁଙ୍କୁ କୋର୍ଟରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ସେତେବେଳେ ନିଷ୍ପତ୍ତି ହୋଇଥିଲା । ଆଜି ଅପରାହ୍ନରେ ଗେଟବଜାର ନିକଟସ୍ଥ ଅମ୍ରିତ ହୋଟେଲ ନିକଟରେ ଶତ୍ରୁଘ୍ନଙ୍କୁ ମିଟୁ ଏବଂ ତାଙ୍କର ଦୁଇ ସହଯୋଗୀ ଦେଖିଥିଲେ । ଏହି ସମୟରେ ଅଭିଯୁକ୍ତ ମିଟୁ ଶତ୍ରୁଘ୍ନଙ୍କୁ ପଚାରିଲେ କି ତମେ ଦେଇଥିବା ଚେକ ବାଉନ୍ସ ଅଛି ,ଆଉ ଏତେ ଦିନ ହେଲାନି ବାକି ଥିବା ପଇସା ଦେବା ନା ହିଁ ଧରୁନ ,କ’ଣ ଆଉ ପଇସା ଦେବନୀ କି ? ଏଭଳି ଉଭୟଙ୍କ ମଧ୍ୟରେ ଟଙ୍କା ଓ ଚେକ ଦେବାନେବାକୁ ନେଇ ପାଟିଟୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଟୁ ଏବଂ ତାଙ୍କର ଦୁଇ ସହଯୋଗୀ ଶତ୍ରୁଘ୍ନଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ଶତ୍ରୁଘ୍ନ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନଂ ୩୨୬/୨୨ରେ ମାମଲା ଏକ ରୁଜୁ କରି ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Comments (0)
Add Comment