୮ ଜଣ ହାଇୱେ ଡକାୟତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ବଡ଼ ସଫଳତା । ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍‌ । ସୂଚନା ପ୍ରକାରେ ଗତ ମଙ୍ଗଳବାର ରାତ୍ରି ପ୍ରାୟ ୧୦ ଘଣ୍ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହାଇୱେ ଡକାୟତି ଦଳକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ୍‌ । ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ସବ୍‌ ଇନ୍ସପେକ୍ଟର ଆଶୁତୋଷ ଜେନା ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ବହୁ ଦିନର ସାଧାରଣ ଦାବୀକୁ ଗୁରୁତ୍ୱ ଦେଇ ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ମାଦାଗୁଡ଼ା ଛକ ନିକଟସ୍ଥ ଏକ ଯାତ୍ରୀ ବିଶ୍ରାମଗାରରେ ଏହି ହାଇୱେ ଡକାୟତି ଦଳ କୌଣସି ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ୍‌ ଆଠ ଜଣ ଡକାୟତଙ୍କୁ ମାଡ଼ି ବସିଥିବା ଜଣାପଡ଼ିଛି । ତନ୍ମଧ୍ୟରୁ ୪ ଜଣ ନାବାଳକ ଥିବା ପୋଲିସ ସ୍ପଷ୍ଟ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ମାଉଜର,୨ ଟି ଗୁଳି, ଲୁହା ରଡ଼, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ୫ ଟି ମୋବାଇଲ, ୧୬ ଶହ ଟଙ୍କା, ଜିଆଇ ପାଇପ୍‌, ମଦ ବୋତଲ, ଗଞ୍ଜେଇ ଚିଲମ ସମେତ ଡକାୟତି ପାଇଁ ବ୍ୟବହୃତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ । ବୁଧବାର ଦିନ ସମସ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଦିନ ନାବାଳକ ୪ ଜଣଙ୍କୁ ରାଉରକେଲା ସ୍ଥିତ ବାଳ ସୁଲଭ କାରାଗାରକୁ ପଠାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ଏହି କେସ୍‌ର ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ମୋଟ ୯ ଜଣ ଡକାୟତ ଥିବା ବେଳେ ଧର୍ମା ମଲ୍ଲିକ ନାମକ ଜଣେ ଡକାୟତ ଯାହାଙ୍କ ନାମରେ ପୂର୍ବରୁ ୱାରେଣ୍ଟ ରହିଛି, ସେ ପୋଲିସକୁ ବନ୍ଧୁକ ଦେଖାଇ ଖସି ପଳାଇବାରେ ସଫଳ ହୋଇଛି । ଫଳରେ ଘଟଣାସ୍ଥଳରୁ ଅନ୍ୟ ଆଠ ଜଣକୁ ପୋଲିସ୍‌ କାବୁ କରିବାରେ ସଫଳ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି । ଗିରଫ ଡକାୟତି ଦଳ ତୁମୁଡିବନ୍ଧ, ବାଲିଗୁଡ଼ା, କୋଟଗଡ଼ ଓ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଅଞ୍ଚଳରେ ଏକାଧିକ ଡକାୟତିରେ ସମ୍ପୃକ୍ତ ଥିବା ପୋଲିସ୍‌ ରେକର୍ଡରୁ ଜଣାପଡିଥିବା ପୋଲିସ କହିଛି । ଗିରଫ ଡକାୟତି ଦଳରେ ତୁମୁଡିବନ୍ଧ ଅଞ୍ଚଳର ବୁଡ଼ାପଡା ଗ୍ରାମର ପିଙ୍କୁ ନାୟକ, ଓ ଲାଇନପଡା ଗ୍ରାମର ବୈଷ୍ଣବ ମାନସେଠ୍‌ ଏବଂ କୋଟଗଡ଼ ଅଞ୍ଚଳର ସତ୍ୟଜିତ୍‌ ପ୍ରଧାନ ଓ ସିଦ୍ଧାନ୍ତ ନାୟକ ରହିଥିବା ବେଳେ ଅନ୍ୟ ଚାରି ଜଣ ନାବାଳକ ମଧ୍ୟ କୋଟଗଡ଼ ଅଞ୍ଚଳର ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ପିଙ୍କୁ ନାୟକ ଏକାଧିକ କେସ୍‌ ରେ ସଂଶ୍ଲିଷ୍ଟ ଥିବା ବେଳେ ବୈଷ୍ଣବ ମାନସେଠ୍‌ ନାମରେ ବୁଦୁଲି ପଦର, ଲମ୍ବାଘାଟି,ମାଦାଗୁଡା ଜଙ୍ଗଲ, ଖମନପଡା ଓ ମ.ରାମପୁର ଅଞ୍ଚଳରେ ଏକାଧିକ ଡକାୟତି ଓ ଅପରାଧ ମାମଲାରେ ୱାରେଣ୍ଟ୍‌ ରହିଥିବା ପୋଲିସ ସ୍ପଷ୍ଟ କରିଛି । ତୁମୁଡ଼ିବନ୍ଧ ଥାନା କେସ୍‌ ନଂ-୭୦/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍‌ । ତେବେ ଏହି ଡକାୟତି ଦଳ ଗିରଫ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଟ୍ରକ୍‌ ଚାଳକ ଏବଂ ପଥଚାରୀ ଆଶ୍ୱସ୍ତି ଲାଭ କରିଥିବା ଜଣାପଡ଼ିଛି ।

Comments (0)
Add Comment