ମାଷ୍ଟର ମାଇଣ୍ଡ ସହ ୫ ଚୋର ଗିରଫ,୩୦ ଲକ୍ଷ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଉଦ୍ଧାର କଲା ପୋଲିସ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ବହୁତ ବଡ ଚୋରି ର‍୍ୟାକେଟ ଧରିବା ସହ ୩୦ ଲକ୍ଷ ଟଙ୍କାର ଚୋରି କମ୍ପ୍ୟୁଟର ସାମଗ୍ରୀ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଛି । ୫ ମାସ ପୂର୍ବରୁ କନ୍ଧମାଳ ଜିଲ୍ଲାର ସଦର ଥାନା, ଫିରିଙ୍ଗିଆ,ଖଜୁରିପଡା, ଗୋଛାପଡା, ସାରଙ୍ଗଡ଼,ଟିକାବାଲି ୬ ଗୋଟି ଥାନା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ,ଜନସେବା କେନ୍ଦ୍ର, ଦୋକାନ ମାନଙ୍କରୁ କମ୍ପ୍ୟୁଟର ସାମଗ୍ରୀ ଗୁଡ଼ିକ ଚୋରି ହୋଇଥିବା ନେଇ ଥାନା ମାନଙ୍କରେ ପଞ୍ଚାୟତ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଚୋରି ସମ୍ପର୍କରେ ଥାନା ଗୁଡ଼ିକରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତିକରି ଥାନା ଗୁଡିକ ପକ୍ଷରୁ ସମୁଦାୟ ୨୦ଟି ମାମଲା ରୁଜୁ କରି ଚୋରମାନଙ୍କୁ ଧରିବା ଓ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ତଦନ୍ତ ଜରି ରଖିଥିଲା । ଏହି ବହୁତ ବଡ ଚୋର ରାକେଟ ସମ୍ପୃକ୍ତ ଆସାମୀ ମାନଙ୍କୁ ଧରିବା ଏବଂ ଚୋରି ସାମଗ୍ରୀ ଗୁଡିକୁ ଠାବ କରିବା ନିମନ୍ତେ ପୋଲିସ ପକ୍ଷରୁ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କର ତତ୍ୱାବଧାନରେ ସଦର ଥାନା ଅଧିକାରୀ ସମୀର ରାଉତ,ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ,ଖଜୁରିପଡା ଥାନା ଅଧିକାରୀ ଗେଲି କୁମାରି ସାହୁ, ସାରଙ୍ଗଡ଼ ଥାନା ଅଧିକାରୀ ବଧୂଲିକା ବିଶ୍ୱାଳ, ଗୋଛାପଡା ଥାନା ଅଧିକାରୀ ରଞ୍ଜିତ ମୁନୀ, ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ଷେଣ୍ଢ ପ୍ରମୁଖ ଥାନା ଅଧିକାରୀମାନଙ୍କୁ ନେଇ ଗୋଟିଏ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇଥିଲା । ଏହି ପୋଲିସ ଟିମ ତଦନ୍ତ କରି ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସାଲେପୁର ଅଞ୍ଚଳର ଚୋରି ମାଷ୍ଟର ମାଇଣ୍ଡ ସାଗର ବିଶ୍ୱାଳ(୩୦), ପିତା ସନାତନ ବିଶ୍ୱାଳ ଚୋରି ସାମଗ୍ରୀ ଗୁଡ଼ିକ ଏହି ସମସ୍ତ ଚୋର ମାନଙ୍କ ସହ ମିଶି ସମସ୍ତ ଚୋରି ଜିନିଷ ସାଲେପୁରରେ ବିକ୍ରି କରିଥିବାରୁ ପୋଲିସ ସନ୍ଧାନ ପାଇ ସେଠାକୁ ଯାଇ ଅଭିଯୁକ୍ତ ସାଗର ବିଶ୍ୱାଳଙ୍କୁ ଗିରଫ କରିବା ସହ ସମସ୍ତ କମ୍ପ୍ୟୁଟର ସାମଗ୍ରୀ ଉଦ୍ଧାର କରିଥିବା ସମ୍ପର୍କରେ ଆଜି ଫୁଲବାଣୀ ସଦର ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପୋଲିସ ଗିରଫ କରିଥିବା ଚୋର ମାନଙ୍କର ମଧ୍ୟରେ ସଦର ଥାନା ଅନ୍ତର୍ଗତ ଗଞ୍ଜୁଗୁଡା ଗ୍ରାମର ଅଭିଯୁକ୍ତ ମଙ୍ଗୁଳୁ ପ୍ରଧାନ (୧୮), ପକନା ଗାଁ ଗ୍ରାମର ନିରଞ୍ଜନ କହଁର (୨୧), ମଜୁରିବିଡା ଗ୍ରାମର ଆଲୋକ ମୁନୀ(୨୩) , ଖଜୁରିପଡା ଥାନା ଅନ୍ତର୍ଗତ ଲାମ୍ବାବାଡି ଗ୍ରାମର ମହେଶ୍ୱର ବେହେରା (୨୧(ଙ୍କୁ ପୋଲିସ ଗିରଫ ଥିବା ବେଳେ ଚୋରି ଉଦ୍ଧାର ସାମଗ୍ରୀ କମ୍ପ୍ୟୁଟର ମନିଟର ୭ ଟି, ସିପିୟୁ ୫ଟି, ୟୁଏସବି ୧ ଟି, କି ପେଡ ୩ ଟି, ପ୍ରିଣ୍ଟର ୮ ଟି, ଏଲଇଡିଟିଭି ୬ ଟି, ଇନଭର୍ଟର ବ୍ୟାଟେରୀ ୭ ଟି ,ଇନଭର୍ଟର ମେସିନ ୫ ଟି, ହୋଣ୍ଡା ଜେନେଟର ସେଟ ୧ ଟି, ଏଭଳି ୪୩ କମ୍ପ୍ୟୁଟର ସାମଗ୍ରୀ ପୋଲିସ ଜବତ କରିଛି । ପୋଲିସ ଜବତ କରିଥିବା ଏହି କମ୍ପ୍ୟୁଟର ସାମଗ୍ରୀର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ଏବଂ ୮୦ ରୁ ୯୦ ପ୍ରତିଶତ ସାମଗ୍ରୀ ପୋଲିସ ଉଦ୍ଧାର କରିଛି । ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଏବଂ ଚୋରି ସାମଗ୍ରୀ ଖୁବ ଶୀଘ୍ର ଉଦ୍ଧାର କରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଏସପି କନ୍ଧମାଳ ଶ୍ରୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

Comments (0)
Add Comment