କୁଶଙ୍ଗ ସମବାୟ ସମିତି ଲିଃରେ ବ୍ୟାଙ୍କିଙ୍ଗ୍‌ କର୍ମଶାଳା ଓ ଋଣମେଳା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସଞ୍ଜିବ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ସମବାୟ ବ୍ୟାଙ୍କ ପୁରୁଣାକଟକ ଶାଖା ପରିଚାଳକ ସୌମ୍ୟଜିତ ନାଏକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ କିଶୋର କୁମାର ଭୋକ୍ତା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଆରତୀ ମେହେର ଉପସ୍ଥିତ ଥିଲେ । ସଫଳ ଋଣ ଚାଷୀ ଭାବେ ଅଭୟ ଭୋକ୍ତା, କବିରାଜ ସାହୁ, ବିଜୟ ନାଏକ, ସଞ୍ଜୟ କୁମାର ସାହୁ, ପ୍ରମୋଦ କୁମାର ସାହୁ, ରାଜେନ୍ଦ୍ର ସାହୁ, ସ୍ୱୟଂ ସହାୟକ ଗୋଷ୍ଠୀ ମା ତାରିଣୀ ଗ୍ରୁପ କୁଶଙ୍ଗର ସଦସ୍ୟାମାନେ ମଞ୍ଚାସୀନ ହୋଇଥିଲେ ।

ପ୍ୟାକ୍ସ ସମ୍ପାଦକ ପବିତ୍ର ବିଶ୍ୱାଳ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା କୃଷି ଋଣ ଦ୍ୱାରା ଚାଷୀମାନେ କିପରି ଉପକୃତ ହେବେ ସେନେଇ ମୁଖ୍ୟଅତିଥି ଶ୍ରୀ ନାଏକ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଦୁଇଟି ମହିଳା ଗ୍ରୁପ ଓ ୩ ଜଣ ଚାଷୀଙ୍କୁ ଋଣ ପ୍ରଦାନ ସହ ମାନପତ୍ର ଓ ପୁଷ୍ପଗଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାକ୍ସ ସଭାପତି ଶ୍ରୀ ଦେହୁରୀ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁମାରୀ ଗ୍ରାମର ପୃଥ୍ୱୀରାଜ ବାନାର୍ଜୀ, ବନ୍ୟା ପ୍ରପୀଡ଼ିତ ଅତଲସରା, କୁମାରୀ, ତିରଡ଼ ଗ୍ରାମର ଚାଷୀଙ୍କ ଫସଲ ବୀମା କେମିତି ପାଇବେ ତା ଉପରେ ପ୍ରଶ୍ନ ଉଠାଇଥିଲେ ଓ ବହୁସଂଖ୍ୟାରେ ଚାଷୀମାନେ ସାମିଲ ହୋଇଥିଲେ ।

Comments (0)
Add Comment