ସମ୍ବାଦିକଙ୍କ ସମସ୍ୟା ନେଇ ରାଜ ରାସ୍ତାରେ ଓଜେୟୁ, ରାଜ୍ୟପାଳଙ୍କ ସହ ଆଲୋଚନା ଓ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର :ଓଡିଶା ରାଜ୍ୟ ତମାମ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବହୁବିଧ ମୌଳିକ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.) ରାଜ୍ୟ କାର୍ଯ୍ୟକାରୀ କମିଟି ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ଅବସରରେ ଏକ ବିକ୍ଷୋଭ ଶୋଭାଯାତ୍ରା ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକଠାରୁ ଲୋୟର ପିଏମଜି ଛକ ପର୍ଯ୍ୟନ୍ତ ଯିବା ସହିତ ଧାରଣା ପ୍ରଦର୍ଶାନ କରାଯାଇ ମହାମାନ୍ୟ ରାଜ୍ୟପାଳ ଡ. ଗଣେଶୀ ଲାଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ ଶାସନ ସଚିବ ସଂଜୟ ସିଂହ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖଙ୍କ ସହିତ ପ୍ରତିନିଧି ମଣ୍ଡଳି ଯାଇ ଆଲୋଚନା କରିବା ସହ ଦାବୀପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି ।

ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ସହ ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ରାଶି ବାର୍ଷିକ ୨ଲକ୍ଷ ଟଙ୍କାରୁ ଅନ୍ୟୁନ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ମୃତ୍ୟୁ କାଳୀନ ଆର୍ଥିକ ସହାୟତା ରାଶି ୪ଲକ୍ଷ ଟଙ୍କାରୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ଟର୍ମ ଏଣ୍ଡ କଣ୍ଡିସନ ନରଖିବା, ସମ୍ବେଦନଶୀଳ ଘଟଣା ବା ସ୍ଥାନରେ କାର୍ଯ୍ୟ କରିବା ପାଇଁ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସଓପି) ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା, ଅବସର ପରେ ସାମ୍ବାଦିକ ମାନଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ କରାଯିବା, ସରକାରଙ୍କ ଦ୍ୱାରା ଘୋଷିତ ସାମ୍ବାଦିକଙ୍କ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ ଜନୀତ ବିଧି ବ୍ୟବସ୍ଥାର ସରଳିକରଣ କରାଯିବା, ସାମ୍ବାଦିକ ଅଧିସ୍ୱୀକୃତି ନୀତିର ସରଳିକରଣ କରି ଜିଲ୍ଲା, ଉପଖଣ୍ଡ, ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରାଯିବା, ବ୍ଲକ, ଉପଖଣ୍ଡ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରିହାତି ଦରରେ ସରକାରୀ ଘରଭଡା ଯୋଗାଇ ଦିଆଯିବା, କିମ୍ବା ପ୍ରେସ କଲୋନୀ ପ୍ରତିଷ୍ଠା କରି ଗୃହ ଯୋଗାଇ ଦିଆଯିବା, ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ବିଜ୍ଞାପନ ରାଶିରୁ ଅତିକମରେ ୨ ପ୍ରତିଶତ ରାଶି ଲେଭି ଆଦାୟ କରି ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର କଲ୍ୟାଣରେ ବିନିଯୋଗ କରାଯିବା, ସାମ୍ବାଦିକଙ୍କ ବୃତ୍ତିଗତ, ସାମାଜିକ, ଅର୍ଥନୈତିକ, ପାରିବାରିକ, ଗୋଷ୍ଠୀଗତ, ଅନୁଷ୍ଠାନିକ ଆଦି ସୁରକ୍ଷା ଦିଗରେ ବୈଚାରିକ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନର ମୁଖ୍ୟ ବା ପ୍ରତିନିଧି ମାନଙ୍କୁ ସ୍ଥାନ ଦିଆଯିବା ଆଦି ଦାବୀ ଉପସ୍ଥାପନ କରାଯାଇଛି ।
ଏହି ବିକ୍ଷୋଭ ଶୋଭାଯାତ୍ରାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ରାଜ୍ୟ ସଭାପତି ଶଶି ଭୁଷଣ ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କ୍ରମେ ରାଜ୍ୟ କମିଟିର ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ, ଉପସଭାପତି ଦୀପକ କୁମାର ନାୟକ, ରମଣି ରଂଜନ ଦାସ,ବିଜୟଲକ୍ଷ୍ମୀ ମହାକୁଡ଼, ସୁଶାନ୍ତ ମହାପାତ୍ର, ସଂଗଠନ ସମ୍ପାଦକ ଦୂର୍ଯ୍ୟଧନ ମହାରଣା, ସହ ସମ୍ପାଦକ ରାଜକିଶୋର ତ୍ରିପାଠୀ, ବାଙ୍କ ବିହାରୀ ବିଶୋଇ, କୋଷାଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ନେତୃତ୍ୱରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି ସମ୍ପାଦକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଯୋଗଦେଇ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ଲୋୟର ପିଏମଜି ଠାରେ ଆୟୋଜିତ ଧାରଣା ସ୍ଥଳ ପଥପ୍ରାନ୍ତ ସଭାରେ ରାଜ୍ୟ କର୍ମକର୍ତ୍ତା ମାନଙ୍କ ସହିତ ଜିଲ୍ଲା କର୍ମକର୍ତ୍ତା ମାନେ ସରକାର ସାମ୍ବାଦିକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ଗୁଡିକୁ ଅବିଳମ୍ବେ ପୂରଣ ନକଲେ ଆଗାମୀ ଦିନରେ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ ।

Comments (0)
Add Comment