ଭାରତ ପାଖରେ ରହିଛି ସମଗ୍ର ବିଶ୍ୱର ନେତୃତ୍ୱ ନେବା କ୍ଷମତା

ସମ୍ବଲପୁର: ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ସଭାକୁ ସମ୍ବୋଧିତ କରି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ପ୍ରୋ ମହାଦେବ ଜୈସୱାଲ କହିଛନ୍ତି ଯେ ସମଗ୍ର ବିଶ୍ୱର ନେତୃତ୍ୱ ନେବା କ୍ଷମତା ଭାରତ ପାଖରେ ରହିଛି । ବ୍ରିଟିଶ ଶାସନାଧୀନ ହେବା ପୂର୍ବରୁ ଭାରତର ଆର୍ଥିକ ସ୍ଥିତି ସମଗ୍ର ବିଶ୍ୱରେ ଅଗ୍ରଣୀ ଥିଲା ଓ ସେମାନେ ଆମକୁ ଏକ ଦରିଦ୍ର ରାଷ୍ଟ୍ର ରୂପେ ଛାଡ଼ିଦେଇ ଗଲେ । କାଳକ୍ରମେ ଦୁର୍ବଳ ନେତୃତ୍ୱ ଯୋଗୁଁ ଆଜି ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ଏକ ସଫଳ ନେତୃତ୍ୱର ଆବିର୍ଭାବ ଫଳରେ ଆମ ଦେଶର ଆର୍ଥିକ ସ୍ଥିତି ବିକଶିତ ହୋଇ ଏବେ ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚି ପାରିଛୁ । ବର୍ତ୍ତମାନ ବିଶ୍ୱରେ ସର୍ବତ୍ର ଡିଜିଟାଲ ଲେଣଦେଣର ଚାହିଦା ବଢ଼ିଛି ଓ ଏହି କ୍ଷେତ୍ରରେ ଅତି ଅଳ୍ପ କାଳରେ ଭାରତ ଶୀର୍ଷସ୍ଥାନରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତର ଏହି ଆର୍ଥିକ ବିକାଶ ଧାରା ଯଦି ଅବ୍ୟାହତ ରହେ ତେବେ ଆଶା କରା ଯାଉଛି ଆଗାମୀ ଦିନରେ ଆମେ ତୃତୀୟ ସ୍ଥାନରେ ନିଶ୍ଚିତ ଭାବରେ ପହଞ୍ଚି ପାରିବ । ନିଜର ଏହି ବକ୍ତବ୍ୟ ପ୍ରତିପାଦିତ କରିବା ପାଇଁ ପ୍ରୋ ଜୈସୱାଲ କହିଛନ୍ତି ଯେ ଆଜି ଭାରତୀୟ ବଂଶଭବ କିଛି ବ୍ୟକ୍ତିବିଶେଷ ବିଶ୍ୱର ଅନେକ ଶୀର୍ଷ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିପାରନ୍ତି ଓ ଏହି ଶୃଙ୍ଖଳାରେ ସଦ୍ୟତମ ଉଦାହରଣ ହେଉଛି ବ୍ରିଟେନର ପ୍ରଧାନମନ୍ତ୍ରୀ ରୂପେ ଋଷି ସୁନକ ନିର୍ବାଚିତ ହେବା । ସ୍ଥାନୀୟ ଆଇଆଇଏମର ଲକ୍ଷ୍ୟ ବିଷୟରେ ଆଲୋକପାତ କରି ସେ ପୁଣି କହିଛନ୍ତି ଯେ ଏଠାକାର ସମ୍ବଲପୁରୀ ବସ୍ତ୍ର ଏହି ସମଗ୍ର ଅଞ୍ଚଳକୁ ଏକ ପରିଚୟ ପ୍ରଦାନ କରିଥିଲେ ସୁଦ୍ଧା ଏହାକୁ ନେଇ ବିଶ୍ୱ ସ୍ତରରେ ବ୍ୟବସାୟ କଥା କେହି ଚିନ୍ତା କରି ନଥିଲେ । ବର୍ତ୍ତମାନ କିନ୍ତୁ ଆଇଆଇଏମ ଏହି ଦାୟିତ୍ୱ ନେଇଛି ଓ ଏଥିପାଇଁ ଫ୍ଲିପକାର୍ଟ ପରି ବିଶ୍ୱସ୍ତରୀୟ ବିପଣନ ସଂଗଠନ ସହ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ଆୟୋଜକ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଂଚାରିତ ଆଜିକାର ସଭାରେ ସମ୍ମାନିତ ଅତିଥି ରୂପେ ଡ଼ା ନାରାୟଣୀ ପଣ୍ଡା ମଞ୍ଚାସୀନ ରହି ନିଜ ବକ୍ତବ୍ୟ ରଖିଥିଲେ । ସବିତା ମିଶ୍ରଙ୍କ ଗୀତାପାଠ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଓ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ବେହେରା ମଞ୍ଚ ସଂଚାଳନରେ ସାହାଯ୍ୟ କରିଥିଲେ ଓ ଅଞ୍ଚଳର କିଛି ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା

Comments (0)
Add Comment