କଲେଜ ସୁବର୍ଣ୍ଣ ଜୟନ୍ତୀରେ ଗଣଦୌଡ

ନବରଙ୍ଗପୁର:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମାରାଥନ୍‌ (ଗଣଦୌଡ) ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ବାହାରି ମାଝିଗୁଡ଼ା ପର୍ଯ୍ୟନ୍ତ ପହଞ୍ଚି ପୁଣି ଜଗନ୍ନାଥ ମନ୍ଦିର ଛକକୁ ଫେରିଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଆଲୁମିନାଇ କମିଟି ସଭାପତି ଗଣେଶ ଦାଶ, ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, କଲେଜ ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ଃ ମିଶ୍ର ପତକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ । ଗଣଦୌଡରେ ନବରଙ୍ଗପୁର ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଓ ସହରର ବିଭିନ୍ନ କ୍ଳବ୍‌ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଦୌଡରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଥିଲା । ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଥିଲା । ସ୍ଥାନ ସ୍ଥାନରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ମାନେ ପାଣି, ଗ୍ଲୁକୋଜ ଯୋଗେଇ ଦେଇଥିଲେ । ଏଥିରେ ମୋଟ ୧୫୭ ଜଣ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଭେଟ୍ରାନ ଚିତ୍ତରଞ୍ଜନ ପାତ୍ର ପ୍ରଥମ ହୋଇଥିଲେ । ପୁରୁଷ ବର୍ଗରେ ଶିବ ପୂଜାରୀ ପ୍ରଥମ ହୋଇ ଥିବାବେଳେ ସୁରେନ୍ଦ୍ର ସାନ୍ତ୍ରା ଦ୍ୱିତୀୟ ଓ ସୁରେଶ ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହିଳା ବର୍ଗରେ ସୁଶ୍ରୀ ରଶ୍ମିତା ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନରେ ସୁମିତ ଭତ୍ରା ଓ ତୃତୀୟ ସ୍ଥାନରେ ରାଧିକା ଗଣ୍ଡ ଅଧିକାର କରିଥିଲେ । ଜୁନିୟର ବର୍ଗରେ କରଣ ଭତ୍ରା ପ୍ରଥମ, ଦ୍ୱିତୀୟ ପିଣ୍ଟୁ ମାଝୀ ଅଧିକାର କରିଥିଲେ । ସୁଶ୍ରୀ ହେମଲତା ନାୟକଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments (0)
Add Comment