ଗଜପତି ଜିଲ୍ଲା ସ୍ତରରେ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

ଗଜପତି :ବିଶ୍ୱ ମିତବ୍ୟୟତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ରବିବାର ପୂର୍ବାହ୍ନ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ରଥ ଚଳିତ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ପ୍ରସାର ଓ ପ୍ରଚାର କରି ଜନସାଧାଣଙ୍କୁ ସଚେତନତା କରାଯିବ । ମିତବ୍ୟୟୀ ହେବା ସଞ୍ଚୟକୁ ଅଭ୍ୟାସରେ ପରିଣତ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଜରୁରୀ ଅଟେ । ଏହି ସ୍ୱଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସାଥେସାଥେ ନିହାତି ଜରୁରୀ ଆବଶ୍ୟକତା ସମୟରେ ତାର ସ୍ୱଳ୍ପ ସଞ୍ଚୟକୁ ବିନିଯୋଗ କରିପାରିବ । ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ । ଏହା ଦ୍ୱାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୈତିକ ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ ବୋଲି ଉପ-ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିଜ ବିବୃତିରେ ଜଣାଇଛନ୍ତି । ସ୍ୱଳ୍ପ ସଞ୍ଚୟ ବେଳେ ନିଜର କଷ୍ଟଲବ୍ଧ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ବରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ୍‌ । ନିର୍ଭରଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଆଶ୍ୱସ୍ତି ମିଳିବ । ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି । ନଚେତ୍‌ ନିଜର କଷ୍ଟଲବ୍ଧ ଧନ ବାଟମାରଣା ହେବାର ଅନେକ ସମ୍ଭାବନା ରହିଛି । ଆଜିର ଦିନରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ । ଏଣୁ ଜମାରାଶି ଜମା ଦେଲା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଅବଗତ କରାଇଥିଲେ । ଏହି ସଚେତନତା ରଥର ଉଦ୍ଘାଟନୀ ସମାରୋହରେ ସ୍ୱଳ୍ପ ସଞ୍ଚୟ ପ୍ରତିନିଧିଗଣ,ସମସ୍ତ ସାମ୍ବାଦିକ, ସ୍ୱଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment