କ୍ରୀଡ଼ାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର : ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଭିନ୍ନ କ୍ରୀଡାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ ତଥା କ୍ରୀଡା ଏବଂ କ୍ରୀଡାବିତକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସନ୍ତା ୨୨.୦୮.୨୦୨୨ ରୁ ୨୯.୦୮.୨୦୨୨ ପର୍ଯ୍ୟନ୍ତ ଜିଲ୍ଲାରେ କ୍ରୀଡା ସପ୍ତାହ ଭାବେ ପାଳନ କରାଯିବ । ଏହାଦ୍ୱାରା ଜିଲ୍ଲାରେ ଥିବା କ୍ରୀଡା ଭିତ୍ତିଭୂମି କ୍ରୀଡାବିତ ଏବଂ ଲୁକ୍କାୟିତ କ୍ରୀଡା ପ୍ରତିଭାକୁ ଚିହ୍ନଟ କରାଯିବା ସହ କ୍ରୀଡାକୁ ଜିଲ୍ଲାରେ ପ୍ରୋତ୍ସାହିତ କରାଯାଇ ପାରିବ ବୋଲି ବୈଠକର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କ୍ରୀଡା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆସନ୍ତା ୨୯ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ କ୍ରୀଡା ଦିବସ ପାଳନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜିଲ୍ଲାସ୍ତରରେ ବ୍ୟାଡମିଣ୍ଟନ, ଚେସ୍‌, ତାଇକାଣ୍ଡୋ, ମାରାଥନ, ଭାରତ୍ତୋଳନ ବ୍ୟାୟାମ, ମୁଷ୍ଟିଯୁଦ୍ଧ, ସନ୍ତରଣ, ଦୌଡ, କବାଡି, ଖୋକୋ ପ୍ରଭୁତି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସମ୍ପୃକ୍ତ କ୍ରୀଡା ଅନୁଷ୍ଠାନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜିତ ହେବ । ଅନୁଷ୍ଠିତ ହେବାକୁଥିବା ପ୍ରତିଯୋଗୀତାର କୃତି ପ୍ରତିଯୋଗୀ / ଦଳ ପ୍ରଭୁତିଙ୍କୁ ୩୦ତାରିଖରେ ସ୍ୱତନ୍ତ୍ର ଜିଲ୍ଳା ସ୍ତରୀୟ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହକି ଖେଳାଳି ତଥା ଭାରତର ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଡଃ ଦିଲିପ ତିର୍କୀ ଯୋଗଦାନ କରି ଖେଳ ଓ ଖେଳାଳିଙ୍କୁ ଉଦବୋଧନ ଦେବାସହ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ (ରାଜସ୍ୱ), ନିଶି ପୁନମ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଲକ୍ଷ୍ମଣ ଭୋଇ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିବା ବେଳେ ଜିଲ୍ଲାର ୫-ଟି ବିଦ୍ୟାଳୟ ସମେତ ଅନ୍ୟ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ଖେଳ ଶିକ୍ଷକ / ଶିକ୍ଷୟିତ୍ରୀ ସହିତ ଜିଲ୍ଲାର ବିଭିନ୍ନ କ୍ରିଡା ସଂଗଠନର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । କ୍ରୀଡା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କ୍ରୀଡାଗୁଡିକୁ ପୂର୍ଣ୍ଣ ସଫଳ କରିବା ସହିତ ପ୍ରତ୍ୟେକଟି କ୍ରୀଡାରେ ଜିଲ୍ଲାର ଅଧିକରୁ ଅଧିକ ପ୍ରତିଯୋଗୀ ଯେପରି ଅଂଶଗ୍ରହଣ କରିବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀ ତଥା କ୍ରୀଡା ସଂଗଠନ କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପରାମର୍ଶ ଦେଇଛନ୍ତି । ଇଚ୍ଛୁକ କ୍ରୀଡାବିତ ନିଜ ନିଜର ଯୋଗ୍ୟ ସ୍ତର ନିମନ୍ତେ କ୍ରୀଡା ସଂଗଠନର ମୁଖ୍ୟ ତଥା ବିଦ୍ୟାଳୟ ସ୍ତରରେ ନିଜ ନିଜର ଖେଳ ଶିକ୍ଷକଙ୍କ ମାଧ୍ୟମରେ ଅଂଶଗ୍ରହଣ କରିପାରିବେ । ବହୁ ସଂଖ୍ୟାରେ ଯୋଗଦାନ ଜିଲ୍ଲାର କ୍ରୀଡା ଓ କ୍ରୀଡାବିତକୁ ଆଗାମୀ ଦିନରେ ପ୍ରୋତ୍ସାହିତ କରିବେ ।

Comments (0)
Add Comment