ବିଶ୍ୱ ପୃଥିବୀ ଦିବସ ପାଳିତ, ପୁନିତ ସାଗର ଅଭିଯାନରେ ସାମିଲ ହେଲେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ

ପୁରୀ: ବିଶ୍ୱ ପୃଥିବୀ ଦିବସ ଆଜି ପାଳିତ ହୋଇଛି । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ “ପୁନିତ ସାଗର ଅଭିଯାନ’ ଅନୁଷ୍ଠିତ ହୋଇଛି । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ଏହି ଅବସରରେ ବାଟାଲିୟନ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଦିଗବାରେଣୀ ଏବଂ ହୋଟେଲ ଷ୍ଟର୍ଲିଂ ଠାରୁ ଉଭୟ ପାର୍ଶ୍ୱରୁ ବତୀଘର ପର୍ଯ୍ୟନ୍ତ ସଫେଇ କରାଯାଇଥିଲା । ଏଥିରେ ପୁରୀ ସମେତ ବିଭିନ୍ନ ଜିଲ୍ଲାର ପ୍ରାୟ ୪୫୦ ଜଣ ଜାତୀୟ ସମର ଶିକ୍ଷାର୍ଥୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯାଇଥିଲା । ମାନସ ସାହୁଙ୍କ ଦ୍ୱାରା ବାଲୁକା କଳା ଏବଂ କ୍ୟାଡେଟମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ସ୍ୱେଚ୍ଛାସେବୀମାନେ ୭୧୫ କିଲୋଗ୍ରାମ ଆବର୍ଜନା ସଂଗ୍ରହ କରି ପୁରୀ ପୌରସଂସ୍ଥାକୁ ହସ୍ତାନ୍ତର କରିଥିଲେ ।


ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ କ୍ୟାଡେଟ ମାନଙ୍କୁ ଶପଥ ପାଠ କରାଇଥିଲେ । ୬ଷ୍ଠ ଓଡିଶା ବଟାଲିୟନ କମାଣ୍ଡିଂ ଅଧିକାରୀ ପ୍ରସୂନ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ସୁବେଦାର ମେଜର ରୋହଟାସ, ନାଏକ ସୁବେଦାର ବିଶ୍ରାମ ସିଂ, ହାବିଲଦାର ବୁଦ୍ଧଦେବ ଶବର, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ପରାମର୍ଶଦାତା ଜ୍ୟୋତି ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment