ଦଶମ ପରୀକ୍ଷାରେ ୮୦% ମର୍କ ରଖିଥିବା ୫ ଅନାଥ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ପ୍ରାକୃତିକ ଦୁର୍ବିପାକ ଏବଂ ଦୈବ ସିନା ସହିଲାନି ପିଲାମାନଙ୍କଠାରୁ ବାପାମାଆ ନେଇଗଲା କିନ୍ତୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଆର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛନ୍ତି ଯେ ପିଲାମାନେ ବର୍ତ୍ତମାନ ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସରକାରଙ୍କର ଦଶମ ଶ୍ରେଣୀ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେହି ପିଲାମାନେ କେହି ନୁହଁନ୍ତି ଯେଉଁମାନେ କି ତିତିଲି ମହାବାତ୍ୟା ଏବଂ ପରବର୍ତ୍ତୀ ଭୁସ୍ଖଳରେ ନିଜର ପିତାମାତାଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ସହଯୋଗରେ ବଢି ଚାଲିଛନ୍ତି । ସେହିପରି ୫ ଗୋଟି ପିଲାଙ୍କୁ ଆଜି ଜିଲ୍ଲାପାଳ ସେମାନଙ୍କର ଦଶମ ପରୀକ୍ଷାର ଫଳାଫଳ ଭଲ କରିଥିବାରୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ସମ୍ମାନିତ କରିଥିଲେ । ଏହାସହ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ପିଲାମାନଙ୍କ ସହ ସବୁବେଳେ ପ୍ରଶାସନ ଛିଡା ହୋଇଥିବା କଥା ପ୍ରମାଣ କରିବାକୁ ଯାଇ ଅତିଥି ଭବନରେ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଉପରୋକ୍ତ ପାଞ୍ଚ ଜଣ ଶିଶୁ ମାନେ ବିବେକାନନ୍ଦ ରେସିଡନସିଆଲ ସ୍କୁଲ, ଏସ ଉରୁଡ଼ା, ଶ୍ରୀ ଜଗନ୍ନାଥ ନିକେତନ, ଆର ସୀତା ପୁର,ପ୍ରାଉଡ଼,ବି ସୀତା ପୁର ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଛନ୍ତି । ଆଗାମୀ ଦିନରେ ଶିଶୁ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଶିଶୁ ମାନଙ୍କର ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତ ସହଯୋଗ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ ) ପ୍ରଦୀପ କୁମାର ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରୋମାଞ୍ଚଳ ଖମାରି, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ,ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ । ଅଳକା ସାହୁ, ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅରୁଣା ସ୍ୱେଚ୍ଛାସେବୀ ସଂଗଠନ ସମ୍ପାଦିକା ସୌଦାମିନୀ ରଥ ଓ ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Comments (0)
Add Comment